Advertisement
Categories: Home Leftଖେଳ

ଟି୨୦ରେ ବିରାଟ, ରୋହିତ୍‌ କରି ନ ଥିବା କୀର୍ତ୍ତିମାନ କଲେ ସୋଏବ ମଲିକ

ନୂଆଦିଲ୍ଲୀ, ୧୧।୧୦: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ସିନିୟର ଖେଳାଳି ସୋଏବ ମଲିକ ଟି୨୦ରେ ଏମିତି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା ପୂର୍ବରୁ କୌଣସି ଏସୀୟ କ୍ରିକେଟର୍‌ ହାସଲ କରିପାରି ନାହାନ୍ତି। ଏପରିକି ବିରାଟ କୋହଲି ଓ ରୋହିତ୍‌ ଶର୍ମାଙ୍କ ଭଳି ପ୍ରମୁଖ ଖେଳାଳି ମଧ୍ୟ ଏହି ମାଇଲଖୁଣ୍ଟ ଛୁଇଁ ପାରିନାହାନ୍ତି। ଟି୨୦ କ୍ରିକେଟ୍‌ରେ ପ୍ରଥମ ଏସୀୟ ବ୍ୟାଟ୍ସମ୍ୟାନ ଭାବେ ମଲିକ ୧୦ ହଜାର ରନ୍‌ ସଂଗ୍ରହ କରିଛନ୍ତି। ବିଶ୍ୱର ୩ୟ କ୍ରିକେଟର୍‌ ଭାବେ ଏହି କୃତିତ୍ୱ ଲାଭ କରିଛନ୍ତି। ମଲିକଙ୍କ ପୂର୍ବରୁ କ୍ରିସ୍‌ ଗେଲ୍‌ ଓ କିରନ ପୋଲାର୍ଡ ଟି୨୦ କ୍ରିକେଟ୍‌ରେ ୧୦ ହଜାର ରନ୍‌ ସଂଗ୍ରହ କରିସାରିଛନ୍ତି। ସୋଏବଙ୍କ ଏହି ସଫଳତାକୁ ତାଙ୍କ ସ୍ତ୍ରୀ ତଥା ଟେନିସ ତାରକା ସାନିଆ ମିର୍ଜା ବେଶ୍‌ ପ୍ରଶଂସା କରିଛନ୍ତି।
ଘରୋଇ ଟି୨୦ ପ୍ରତିଯୋଗିତା ନ୍ୟାଶନାଲ ଟି୨୦ କପ୍‌ ଅବସରରେ ସୋଏବ ଏହି ସଫଳତା ପାଇଛନ୍ତି। ଖ୍ୟାବର ପାଖତୁନଖ୍ବା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମଲିକ ବାଲୋଚିସ୍ତାନ ଦଳ ବିପକ୍ଷରେ ୪୪ ବଲରୁ ୭୪ ରନ୍‌ ସଂଗ୍ରହ କରିଥିଲେ। ଏହି ଅବସରରେ ସେ ଟି୨୦ କ୍ରିକେଟ୍‌ରେ ନିଜର ୧୦ ହଜାର ରନ୍‌ ପୂରଣ କରିଥିଲେ। ୩୮ ବର୍ଷୀୟ ସୋଏବ ୨୦୦୫ରେ ଟି୨୦ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଓଭରଅଲ୍‌ (ଜାତୀୟ, ଅନ୍ତର୍ଜାତୀୟ, ଲିଗ୍‌) ସେ ୩୯୫ ମ୍ୟାଚ୍‌ ଖେଳି ୩୭.୪୧ ଆଭରେଜରେ ୧୦,୦୨୭ ରନ ସଂଗ୍ରହ କରିଛନ୍ତି। ଏଥିସହିତ ସେ ୧୪୮ ଉଇକେଟ୍‌ ମଧ୍ୟ ନେଇଛନ୍ତି। ତେବେ ଟି୨୦ କ୍ରିକେଟ୍‌ରେ ସବୁଠାରୁ ଅଧିକ ରନ୍‌ ଗେଲ୍‌ (୧୩,୨୯୬)ଙ୍କ ନାମରେ ରହିଛି। ଗେଲ୍‌ଙ୍କ ପଛକୁ ପୋଲାର୍ଡ (୧୦,୩୭୦) ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ଖେଳାଳି ଭାବେ ଟି୨୦ କ୍ରିକେଟ୍‌ରେ ସବୁଠାରୁ ଅଧିକ ରନ୍‌ ଯଥାକ୍ରମେ କୋହଲି (୯,୧୨୩) ଓ ରୋହିତ୍‌ (୮୮୫୩)ଙ୍କ ନାମରେ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share