ପାକିସ୍ତାନକୁ ଆଇଏମଏଫ ପକ୍ଷରୁ ଝଟକା: ଶେହବାଜଙ୍କ ଦାବିକୁ ଖଣ୍ଡନ…

ଇସଲାମାବାଦ,୮।୧ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରବିବାର କହିଛି ଯେ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ବାର୍ତ୍ତାଳାପ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ଅନୁରୋଧ କ୍ରମେ ହୋଇଛି ଏବଂ ଆଇଏମଏଫ ଏମଡିଙ୍କ ଫୋନ କଲ ଯୋଗୁ ନୁହେଁ। ଆଇଏମଏଫର ଏହି ବିବୃତ୍ତି ସୂଚିତ କରୁଛି ଯେ ଡିଫଲ୍ଟର ସତ୍ତ୍ୱେ ଇସଲାମାବାଦ ଏହି ପ୍ରସଙ୍ଗରେ ରାଜନୀତି କରିବାଠାରୁ ଦୂରେଇ ଯାଇନାହିଁ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ହଜାରା ବିଦ୍ୟୁତ ଯୋଗାଣ କମ୍ପାନୀ (ହାଜେକୋ) ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ ଶେହବାଜ ସରିଫଙ୍କୁ ଡାକିଛନ୍ତି।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭାଙ୍କ ସହ ଟେଲିଫୋନରେ କଥା ହୋଇଥିବା ଏବଂ ପରବର୍ତ୍ତୀ ଆର୍ଥିକ ସହାୟତା ପ୍ରଦାନରେ ଏହି ଅବରୋଧ ହଟାଇବାକୁ ଅନୁରୋଧ କରାଯାଇଥିବା ଜଣାପଡିଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରେ ଦିଆଯାଇଥିବା ଦାବି ଅନୁଯାୟୀ, ଜେନେଭାରେ ଆଶା କରାଯାଉଥିବା ବୈଠକର କିଛି ଦିନ ପୂର୍ବରୁ ଶେହବାଜ ଜର୍ଜିଭାଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିଥିଲେ। ଏହି ବାର୍ତ୍ତାଳାପରେ ସେ ପାକିସ୍ତାନକୁ ମୁଦ୍ରା ପାଣ୍ଠିର ପରବର୍ତ୍ତୀ କିସ୍ତି ପ୍ରକାଶନରେ ବାଧା ଉପୁଜିଥିବା ବିଷୟରେ ଆଲୋଚନା କରିଥିଲେ।

ଏହା ବ୍ୟତୀତ ଶେହବାଜ ମଧ୍ୟ ପାକିସ୍ତାନରେ ବିଦ୍ୟୁତ ଦର ବୃଦ୍ଧି ପାଇଁ ରଖାଯାଇଥିବା ଅବସ୍ଥାରେ କୋହଳ ପ୍ରଦାନ କରିବାକୁ ଆଇଏମଏଫରେ ଦାବି କରିଥିଲେ। ବାର୍ଷିକ ଋଣ ପରିଚାଳନା ଯୋଜନାରେ ପ୍ରାୟ ୫୦୦ ବିଲିୟନ ଟଙ୍କା ଅଭାବର ଭରଣା ପାଇଁ ଆଇଏମଏଫ ପାକିସ୍ତାନକୁ ବିଦ୍ୟୁତ ଦର ବୃଦ୍ଧି କରିବାକୁ କହିଛି।

ଏହି ସର୍ତ୍ତଗୁଡିକ ଉପରେ ଉଭୟ ପକ୍ଷ ମଧ୍ୟରେ ଅସନ୍ତୋଷ ଥିବାରୁ ସରକାରୀ ସ୍ତରୀୟ ଆଲୋଚନାରେ ପରବର୍ତ୍ତୀ କିସ୍ତିରେ କୌଣସି ଚୁକ୍ତିନାମା ହୋଇପାରି ନଥିଲା।
ତେବେ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ସରକାର  ବ୍ୟାଙ୍କ ଉପରେ ଅପତ୍ୟାଶିତ ଲାଭ ଟ୍ୟାକ୍ସ ଏବଂ ବନ୍ୟା ଶୁଳ୍କ ଲାଗୁ କରିବାକୁ ପ୍ରସ୍ତୁତ।

ତେବେ ଆଇଏମଏଫ ମୁଖ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନିଶ୍ଚିତ କରିଛନ୍ତି କି ନାହିଁ ଏହି ମିଡିଆ ରିପୋର୍ଟରେ ସୂଚନା ଦିଆଯାଇ ନାହିଁ। ଅଗଷ୍ଟରେ ପାକିସ୍ତାନର ଅର୍ଥନୈତିକ ରିଲିଫ କାର୍ଯ୍ୟକ୍ରମର ସପ୍ତମ ତଥା ଅଷ୍ଟମ ସମୀକ୍ଷା କରିବା ପରେ ଆଇଏମଏଫ ୧.୧ ବିଲିୟନ ଡଲାର ମୁକ୍ତ କରିବାକୁ ଘୋଷଣା କରିଥିଲା। ସେତେବେଳେ ପ୍ରବଳ ବନ୍ୟାରେ ପୀଡିତ ପାକିସ୍ତାନ ଏଥିରୁ ଅନେକ ରିହାତି ପାଇଥିଲା।

Share