Categories: ଜାତୀୟ

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା: ପୁଡୁଚେରୀରେ ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର

ନୂଆଦିଲ୍ଲୀ,୧୬।୨: ଆଗକୁ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଏଠାକାର ଶାସକ କଂଗ୍ରେସ ଦଳ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ଦଳର ୪ ଜଣ ବିଧାୟକ ଇସ୍ତଫା ଦେଇସାରିଲେଣି। ଗତ ଦୁଇ ଦିନ ମଧ୍ୟରେ ୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ପୁଡୁଚେରୀ ବିଧାନସଭାର ୩୦ ଜଣ ସଦସ୍ୟଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୧୫ ଜଣ ବିଧାୟକ ରହିଥିଲେ। ଦଳକୁ ଡିଏମ୍‌କେର ଜଣେ ଏବଂ ଅନ୍ୟ ଜଣେ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି। ତେବେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେବା ପରେ ଏବେ ଶାସକ ଦଳର ବିଧାୟକ ସଂଖ୍ୟା ୧୧କୁ ଖସି ଆସିଛି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ସରକାରଙ୍କ ଦୁର୍ବଳ ହୋଇ ପଡ଼ିଛନ୍ତି। ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୬ ଥିବାବେଳେ ନାରାୟଣସ୍ବାମୀଙ୍କ ପାଖରେ ଆବଶ୍ୟକ ସମର୍ଥନ ନାହିଁ। ଜାନୁୟାରୀ ୨୫ରେ ଏ. ନମଶିବାୟମ୍‌ ଏବଂ ଇ. ଥିପ୍ପାଇଞ୍ଜାନ ଇସ୍ତଫା ଦେଇଥିଲେ। ସେହିପରି ସୋମବାର ଜଣେ ବିଧାୟକ ଇସ୍ତଫା ଦେଇଥିବାବେଳେ ମଙ୍ଗଳବାର ମଧ୍ୟ ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି। ବୁଧବାର ରାହୁଲ ଗାନ୍ଧୀଙ୍କ ପୁଡୁଚେରୀ ଗସ୍ତ ପୂର୍ବରୁ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି।

Share