ଇମ୍ରାନଙ୍କୁ ଝଟ୍‌କା: ସିଫର ମାମଲାରେ ୧୪ ଦିନ ବଢ଼ିଲା ନ୍ୟାୟିକ ହେପାଜତ ସମୟ ସୀମା…

ଇସଲାମାବାଦ, ୨୬।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ପୁଣି ବୃଦ୍ଧି ପାଇଛି। ସିଫର ମାମଲାରେ କୋର୍ଟ ତାଙ୍କ ପ୍ରାଥମିକ ମୁକ୍ତ ହେବାର ଆଶାକୁ ଖଣ୍ଡନ କରି ନ୍ୟାୟିକ ହେପାଜତକୁ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି।

ଗତ ବର୍ଷ ମାର୍ଚ୍ଚରେ ୱାଶିଂଟନରେ ପାକିସ୍ତାନୀ ଦୂତାବାସ ଦ୍ୱାରା ପଠାଯାଇଥିବା ଏକ କେବୁଲ (ସାଇଫର) ପ୍ରକାଶ କରି ଇମ୍ରାନ ଖାନ ଅଫିସିଆଲ ସିକ୍ରେଟ ଆକ୍ଟ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା, ଯାହା ପରେ ତାଙ୍କୁ ଗତ ମାସରେ ଗିରଫ କରାଯାଇଥିଲା।

ଇମ୍ରାନ ଖାନଙ୍କୁ ତୃତୀୟ ଥର ରିମାଣ୍ଡରେ ପଠାଯାଇଛି। ତାଙ୍କର ଶେଷ ୧୪ ଦିନର ରିମାଣ୍ଡ ମଙ୍ଗଳବାର ଶେଷ ହୋଇଥିଲା।

ସ୍ବତନ୍ତ୍ର କୋର୍ଟର ବିଚାରପତି ଅବୁଲ ହସନାଟ ଜୁଲକର୍ନେନ ଆଟକ ଜିଲା ଜେଲରେ ଏହି ଶୁଣାଣି କରିଥିଲେ। ତୋସାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ ଖାନଙ୍କୁ ଏହିଠାରେ ରଖାଯାଇଛି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ତଦନ୍ତ ଶେଷ କରିବା ପାଇଁ ଇମ୍ରାନ ଖାନଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯିବା ଉଚିତ। ଏହା ସହିତ କୋର୍ଟ ଏହି ସମୟ ପାଇଁ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କ ରିମାଣ୍ଡକୁ ମଧ୍ୟ ବୃଦ୍ଧି କରିଛନ୍ତି।

Share