Categories: ଜାତୀୟ

ନୀତୀଶଙ୍କୁ ଝଟକା: ଜୁନ ୧୨ ମିଳିତ ବିରୋଧୀ ବୈଠକରେ ଯୋଗ ଦେବେନି ରାହୁଲ-ଖାର୍ଗେ…

ନୂଆଦିଲ୍ଲୀ,୪।୬ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ସମସ୍ତ ବିରୋଧୀ ଦଳକୁ ଏକତ୍ର କରି ଭାଜପାକୁ ପରାସ୍ତ କରିବା ପାଇଁ ଯୋଜନାରେ ଲାଗିଛନ୍ତି। ଏଥିପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇବା ପାଇଁ ରଣନୀତି ଆପଣେଇଛନ୍ତି।

ସମସ୍ତ ନେତାଙ୍କ ସହ ଆଲୋଚନା ପରେ ନୀତୀଶ କୁମାର ଜୁନ ୧୨ ରେ ପାଟନାରେ ମିଳିତ ବିରୋଧୀଦଳଙ୍କର ଏକ ବଡ ବୈଠକ ଡାକିଛନ୍ତି । ଯେଉଁଥିରେ ଉଭୟ ରାହୁଲ ଏବଂ ଖର୍ଗେଙ୍କ ଅଂଶଗ୍ରହଣ ନେଇ ଚର୍ଚ୍ଚା ହେଉଥିଲା। ତେବେ କଂଗ୍ରେସ ଆନୁଷ୍ଠାନିକ ଭାବେ ଏଭଳି ସମ୍ଭାବନାକୁ ଏଡ଼ାଇ ଦେଇଛି। ବାସ୍ତବରେ କର୍ନାଟକରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଉତ୍ସାହିତ ହୋଇ କଂଗ୍ରେସ ସ୍ପଷ୍ଟ ଭାବେ କହିଛି ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରାହୁଲ କିମ୍ବା ଖାର୍ଗେ ଯୋଗଦେବେ ନାହିଁ। ତେବେ କଂଗ୍ରେସ ଶାସିତ ରାଜ୍ୟରୁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରେ ଯୋଗଦେବା ପାଇଁ ପାଟନାକୁ ପଠାଯାଇପାରିବ। କଂଗ୍ରେସର ଏହି ପଦକ୍ଷେପ ନୀତୀଶ କୁମାରଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ବୋଲି ରାଜନୈତିକ ମହଲରେ କୁହାଯାଉଛି।

ଯେତେବେଳେ ନୀତୀଶ କୁମାର ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଥିଲେ, ସେତେବେଳେ କର୍ନାଟକ ନିର୍ବାଚନର ଫଳାଫଳ ପ୍ରକାଶ ପାଇ ନ ଥିଲା। ଏହି ନିର୍ବାଚନରେ ବ୍ୟାପକ ବିଜୟ ପରେ ହଠାତ କଂଗ୍ରେସର ସ୍ବର ବଦଳି ଯାଇଛି। ଦଳର ଅଧିକାଂଶ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରୋଜେକ୍ଟ କରିବା ଆରମ୍ଭ କରିଛନ୍ତି। ସେମାନେ ଯୁକ୍ତି କରୁଛନ୍ତି ଭାରତ ଯୋଡୋ ଯାତ୍ରା ଯୋଗୁ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି ଏବଂ କର୍ନାଟକରେ ବିଜୟ ଏହାର ଫଳାଫଳ ଅଟେ।

Share