ମସ୍କୋ, ୧୮।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍ଙ୍କୁ ବଡ଼ ଝଟ୍କା ଲାଗିଛି। ୧୮ ମେ’ରେ ନାଟୋ ମିଳିତ ମଞ୍ଚରେ ଯୋଗଦେବା ପାଇଁ ଫିନଲାଣ୍ଡ ଏବଂ ସ୍ବିଡେନ ଆନୁଷ୍ଠାନିକ ଭାବରେ ଆବେଦନ କରିଛନ୍ତି। ଫିନଲ୍ୟାଣ୍ଡ ଏବଂ ସ୍ବିଡେନ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦ୍ୱାରା ନାଟୋ ମିଳିତ ମଞ୍ଚରେ ଯୋଗଦେବା ଲାଗି ସେମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଶୀତଳ ଯୁଦ୍ଧ ସମୟରେ ମଧ୍ୟ ସ୍ବିଡେନ ଏବଂ ଫିନଲାଣ୍ଡ ଭଳି ଦେଶ ନିରପେକ୍ଷ ରହିଥିଲେ। ଏପରିସ୍ଥଳେ ୟୁରୋପର ସୁରକ୍ଷା ବ୍ୟବସ୍ଥା ନାଟୋରେ ଯୋଗଦେବା ପାଇଁ ତାଙ୍କର ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ଏହି ପ୍ରସଙ୍ଗରେ ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ ଏହା ଏକ ଐତିହାସିକ ମୁହୂର୍ତ୍ତ। ନାଟୋରେ ଯୋଗଦେବା ପାଇଁ ଫିନଲାଣ୍ଡ ଏବଂ ସ୍ବିଡେନର ଅନୁରୋଧକୁ ମୁଁ ସ୍ବାଗତ କରୁଛି। ତୁମେ ଆମର ନିକଟତମ ଅଂଶୀଦାର, ଏବଂ ନାଟୋରେ ତୁମର ସଦସ୍ୟତା ଆମର ଅଂଶୀଦାର ସୁରକ୍ଷାକୁ ବୃଦ୍ଧି କରିବାକୁ ସକ୍ଷମ ହେବ।
ଫିନଲାଣ୍ଡ ଏବଂ ସ୍ବିଡେନର ଯୋଗଦାନ ଦ୍ୱାରା ବାଲଟିକ ସାଗର ଅଞ୍ଚଳରେ ନାଟୋର ସ୍ଥିତି ଅଧିକ ସୁଦୃଢ଼ ହେବ।