Advertisement
Categories: ଜାତୀୟ

ଏସ୍‌ପିକୁ ଝଟ୍‌କା: ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିବା ଶାଳିନୀ ଯାଦବ ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୪।୭: ମିଶନ ୨୦୨୪ ପାଇଁ ପ୍ରସ୍ତୁତ ହେଉଥିବା ସମାଜବାଦୀ ପାର୍ଟି ବାରାଣସୀରେ ଏକ ବଡ଼ ଝଟ୍‌କା ଲାଗିଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶାଳିନୀ ଯାଦବ ଏସପି ଛାଡି ଭାଜପାରେ ଯୋଗ ଦେଇଛନ୍ତି।
ଭେଟେରାନ କଂଗ୍ରେସ ନେତା ତଥା କେନ୍ଦ୍ର ମନ୍ତ୍ରୀ ଶ୍ୟାମ ଲାଲ ଯାଦବଙ୍କ ବୋହୂ ଶାଳିନୀ ଯାଦବ ୨୦୧୯ରେ କଂଗ୍ରେସରୁ ଏସପିରେ ଯୋଗ ଦେଇଥିଲେ। ଶାଳିନୀ ୨୦୧୭ରେ ବାରାଣସୀରୁ ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ଏସପି ସହଯୋଗୀ ଦଳ ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଶାଳିନୀ ଲଢିଥିଲେ। ପ୍ରାୟ ଦୁଇ ଲକ୍ଷ ଭୋଟ ପାଇ ସେ ଦ୍ୱିତୀୟ ସ୍ଥାନରେ ଥିଲେ। ଶାଳିନୀଙ୍କ ବ୍ୟତୀତ ପୂର୍ବତନ ଏସପି ଜିଲା ସଭାପତି ପୀୟୁଷ ଯାଦବ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି।
ବୃତ୍ତି ଅନୁଯାୟୀ ଶାଳିନୀ ଯାଦବ ଜଣେ ଫ୍ୟାଶନ ଡିଜାଇନର୍‌। ସେ ଶ୍ୱଶୁର ତଥା କଂଗ୍ରେସ ନେତା ଶ୍ୟାମ ଲାଲ ଯାଦବଙ୍କ ଯୋଗୁ ରାଜନୀତିରେ ଯୋଗଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share