Categories: ଫୁରସତ

ମାସ୍କ ନ ଲଗାଇଥିଲେ ୫ଶହ ଥର କରିବାକୁ ପଡ଼ିବ ଏପରି

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାରଙ୍କଠାରୁ ଆରମ୍ଭକରି ପ୍ରଶାସନ ପକ୍ଷରୁ ଅନେକ ପ୍ରକାର କଟକଣା ଜାରି କରାଯାଇଛି। ସେଥିମଧ୍ୟରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ଫିରୋଜାବାଦ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମାସ୍କ ନ ପିନ୍ଧୁଥିବା ଅମାନିଆଙ୍କ ପାଇଁ ଏକ ଭିନ୍ନ ଉପାୟ କରାଯାଇଛି। ଯାହାକୁ ‘ମାସ୍କର କ୍ଲାସ୍‌’ ବୋଲି କୁହାଯାଉଛି। ଯେଉଁମାନେ ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା ଦେଖିବାକୁ ମିଳିବ ତାଙ୍କୁ ଏକ କାଗଜରେ ‘ମାସ୍କ ଲଗାଇବାକୁ ପଡ଼ିବ’ ବୋଲି ୫ଶହ ଥର ଲେଖିବାକୁ ପଡ଼ିବ। ବରିଷ୍ଠ ପୋଲିସ ଅଧିକାରୀ ସଚିନ୍ଦ୍ର ପଟୋଲ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଯେଉଁମାନେ ବିନା ମାସ୍କରେ ବାହାରେ ବୁଲୁଥିବେ ପୋଲିସ ଦ୍ୱାରା ସେମାନଙ୍କ କ୍ଲାସ୍‌ ନିଆଯିବ। ବିନା କୌଣସି କାର୍ଯ୍ୟାନୁଷ୍ଠାନରେ ଏକ ରୁମ୍‌ରେ ତାଙ୍କୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ବସାଇ ଦିଆଯିବ। ପୋଲିସ ଅଧିକାରୀଙ୍କ ସହ ଜଣେ ଚିକିତ୍ସକ ମଧ୍ୟ ତାଙ୍କର ଏହି କ୍ଲାସ୍‌ ନେବେ। ଏହି କ୍ଲାସ୍‌ରେ ମାସ୍କର ଉପକାରୀତା ବିଷୟରେ ତାଙ୍କୁ ବୁଝାଯିବ। ଏଥିସହ ଏକ ସାଧା କାଗଜରେ ତାଙ୍କୁ ୫ଶହ ଥର ମାସ୍କ ଲଗାଇବାକୁ ପଡ଼ିବ ବୋଲି ଲେଖିବାକୁ କୁହାଯିବ।

Share