Categories: ଜାତୀୟ

ଟର୍ଚ ଲାଇଟ୍‌ ଲଗାଇ ଶିଶୁର ଚିକିତ୍ସା

ପାଟନା,୪।୮: ପୁଣି ଥରେ ପଦାରେ ପଡ଼ିଛି ବିହାରର ସ୍ବାସ୍ଥ୍ୟ ସେବା। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଘୁରି ବୁଲିଛି, ଯେଉଁଥିରେ ଡାକ୍ତର ଟର୍ଚ ଲାଇଟ୍‌ ଲଗାଇ ଜଣେ ଶିଶୁର ଚିକିତ୍ସା କରୁଛନ୍ତି। ଏକ ବିଷାକ୍ତ ସାପ କାମୁଡିବା କାରଣରୁ ଶିଶୁକୁ ପରିବାର ଲୋକେ ସରକାରୀ ହସ୍ପିଟାଲର ଜରୁରୀକାଳିନ ଓ୍ବାର୍ଡରେ ଭର୍ତ୍ତି କରିଥିଲେ। ତାଙ୍କ ଚିକିତ୍ସା ବେଳେ ପାଓ୍ବର ଚାଲି ଯାଇଥିଲା। ଏଣୁ ଡାକ୍ତରଙ୍କୁ ଟର୍ଚ ଲଗାଇ ଚିକିତ୍ସା କରିବାକୁ ପଡ଼ିଥିଲା। ଏଭଳି ଘଟଣା ଘଟିଛି ବିହାରର ସାହାର୍ସା ଜିଲାର ସଦାର ହସ୍ପିଟାଲରେ।

ଚିକିତ୍ସା କରୁଥିବା ଡାକ୍ତର କହିଥିଲେ, ଆମେ ଟର୍ଚ ଲାଇଟ୍‌ରେ ଶିଶୁର ଚିକିତ୍ସା କରୁଛୁ। ବର୍ତ୍ତମାନ ଶିଶୁର ଜୀବନ ବଞ୍ଚାଇବା ପାଇଁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ଗୁରୁତର ଅଛି। ଆଉ ଜଣେ ଡାକ୍ତର କହିଛନ୍ତି, ହସ୍ପିଟାଲରେ ପାଓ୍ବର କଟ୍‌ ହେବା ସାଧାରଣ କଥା ହୋଇଗଲାଣି। ପାଓ୍ବର କଟ୍‌ ପରେ ସର୍ବଦା ଜେନେରେଟର୍ସ ବ୍ୟବହାର କରାଯାଏ। ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସାହାର୍ସା ସିଭିଲ ସର୍ଜନ ଡ.ପ୍ରସାଦ। ଜେନେରେଟର ଅପରେଟରଙ୍କ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Share