ବ୍ୟାଙ୍କ ଆଗରେ ଜୋତା-ଚପଲ-ଛତା ଲାଇନ୍‌: ଟୋକନ‌ ହେଉଛି ବ୍ଲାକ୍‌

ଭଣ୍ଡରା, ୨୬।୮: ଫିଲ୍ମ ହଲ୍‌ରେ ଟିକେଟ୍‌ ବ୍ଲାକ୍‌ ହେବା ଦେଖାଯାଇଥାଏ। ତେବେ ବ୍ୟାଙ୍କରେ ସଞ୍ଚୟ ଟଙ୍କା ଉଠାଇବା ଲାଗି ଆସିଥିବା ଲୋକଙ୍କୁ ବ୍ଲାକ୍‌ରେ ଟୋକନ ବିକ୍ରି ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏହା ସତ୍ୟ। ଝାଡ଼ଖଣ୍ଡର ଭଣ୍ଡରାରେ ଥିବା ଲୋହରଦଗା ବ୍ୟାଙ୍କ ଶାଖାରେ ଏଭଳି ସ୍ଥିତି ପ୍ରତିଦିନ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ ରାତି ୨ଟାଠାରୁ ଲାଇନ୍‌ରେ ନିଜ ନିଜର ଜୋତା, ଚପଲ, ଛତା, ଇଟା ଆଦି ରଖୁଛନ୍ତି। ଏଠାରେ ଥିବା ବ୍ୟାଙ୍କକୁ ପ୍ରତିଦିନ ବହୁ ଲୋକ ପେନସନ୍‌, ବାର୍ଦ୍ଧକ୍ୟ ଭତ୍ତା, ଛାତ୍ରବୃତ୍ତି ତଥା ଘରର ଖର୍ଚ୍ଚ ପାଇଁ ଟଙ୍କା ଉଠାଇବାକୁ ଆସିଥାନ୍ତି। କିଛି ଲୋକ ରୋଜଗାର କରିବା ଲାଗି ରାତି ଅଧରୁ ବ୍ୟାଙ୍କ ଆଗରେ ଲାଇନରେ ଜୋତା, ଚପଲ, ଛତା, ଇଟା ଆଦି ରଖିଥାନ୍ତି। ଏସବୁ ଲାଇନ୍‌ର ସ୍ଥାନକୁ ଜଗିଥିବା ବ୍ୟକ୍ତି ୨୦ରୁ ୫୦ ଟଙ୍କାରେ ଟଙ୍କା ଉଠାଣ ଟୋକନ ସଂଖ୍ୟା ଆଧାରରେ ବ୍ଲାକ୍‌ କରିଥାନ୍ତି। ଏନେଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ପଦକ୍ଷେପ ନେଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଶାଖା ପ୍ରବନ୍ଧକ ପ୍ରଦୀପ କୁମାର କହିଛନ୍ତି। କିଛି ଲୋକେ ଏଭଳି ବ୍ଲାକ୍‌ କରୁଥିବା ବ୍ୟାଙ୍କର ଦୃଷ୍ଟିକୁ ଆସିଛି। ତେବେ ଏନେଇ ସ୍ଥାନୀୟ ପୋଲିସକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ମାତ୍ର ଲୋକେ ପୋଲିସକୁ ମଧ୍ୟ ଖାତିର କରୁ ନାହାଁନ୍ତି। କରୋନା ସଙ୍କଟରେ ମଧ୍ୟ ଲୋକେ ସମାଜିକ ଦୂରତା ଅବଲମ୍ବନ କରୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ୫୦ ହଜାର ସଞ୍ଚୟ ଖାତା ଧାରକ ଥିବା ଶାଖା ପ୍ରବନ୍ଧକ କହିଛନ୍ତି।

Share