Categories: ଖେଳ

ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ବେଳେ ଅଘଟଣ: ବୁଢ଼ା ଆଙ୍ଗୁଠି ହରାଇଲେ ଶୁଟର

ନୂଆଦିଲ୍ଳୀ,୫ା୧୨: କାର୍ନି ସିଂ ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ସମୟରେ ପିସ୍ତଲରେ ଥିବା ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ କାରଣରୁ ଜଣେ ଶୁଟର ନିଜର ବାମହାତର ବୁଢା ଆଙ୍ଗୁଠି ହରାଇଛନ୍ତି। ୧୦ ମିଟର ଏୟାର ପିସ୍ତଲ ସିଲିଣ୍ଡରରେ କମ୍ପ୍ରେସ୍ଡ ଏୟାର ଭର୍ତ୍ତି କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଭାରତୀୟ ବାୟୁସେନାରେ କାର୍ଯ୍ୟରତ ପୁଷ୍ପେନ୍ଦର କୁମାର ଜାତୀୟ ଚାମ୍ପିୟନଶିପ ପାଇଁ କାର୍ନି ସିଂ ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଆର ଆଣ୍ଡ ଆର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ଏକ ସିଲିଣ୍ଡରରୁ ପିସ୍ତଲର ସିଲିଣ୍ଡରରେ ଗ୍ୟାସ୍‌ ଭରୁଥିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣେ କୋଚ୍‌ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏୟାର ପିସ୍ତଲ ଓ ରାଇଫଲରେ ଏକ ଛୋଟ ସିଲିଣ୍ଡର ରହିଥାଏ। ବ୍ୟାରେଲର ଠିକ୍‌ ତଳେ ଏହି ସିଲିଣ୍ଡର ରହୁଥିବା ବେଳେ ଟ୍ରିଗର ଦବାଇବା ସମୟରେ ଏଥିରୁ ଗ୍ୟାସ୍‌ ରିଲିଜ୍‌ ହୋଇଥାଏ। ଏହା ଏକ ହାମରରେ ବାଜିବା ଫଳରେ ସୀସାର ଗୁଳି ବାହାରିଥାଏ। ତେବେ ଏକ ନିର୍ଦ୍ଦିଷ୍ଟ ରାଉଣ୍ଡର ଶୁଟିଂ ପରେ ଏହି ସିଲିଣ୍ଡରକୁ ଆଉଥରେ ଭର୍ତ୍ତି କରାଯାଏ। ପୂର୍ବରୁ ଅଙ୍ଗାରକାମ୍ଲ ବ୍ୟବହାର କରାଯାଉଥିବା ବେଳେ ବର୍ତ୍ତମାନ ଏଲପିଜି ଗ୍ୟାସ୍‌ରେ ଏହା ପରିଚାଳିତ ହୋଇଥାଏ। ଉତ୍ତର ପ୍ରଦେଶ ବାଘପତର ପୁଷ୍ପେନ୍ଦର କୁମାର କୌଣସି ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ନ ଥିବା ବେଳେ ଭାରତୀୟ ବାୟୁସେନା ଟିମ୍‌ର ଜଣେ ବରିଷ୍ଠ ସଦସ୍ୟ ଅଟନ୍ତି। ଏକ ମାସ ପୂର୍ବରୁ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା। ତେବେ ଅସ୍ତ୍ରୋପଚାର ପରେ ପୁଷ୍ପେନ୍ଦର କୁମାରଙ୍କ ୯୦-୯୫ ପ୍ରତିଶତ ଠିକ୍‌ ହେବାର ସମ୍ଭାବନା ରହିଛି ବୋଲି ତାଙ୍କ କୋଚ୍‌ କହିଛନ୍ତି। ଏପରି ଘଟଣା କେବେ ବି ସେ ଦେଖି ନ ଥିବା କହିଛନ୍ତି ପୁଷ୍ପେନ୍ଦରଙ୍କ କୋଚ୍‌। ତେବେ ଏହି ବନ୍ଧୁକଟି ବାୟୁସେନାର କି ପୁଷ୍ପେନ୍ଦରଙ୍କ ବ୍ୟକ୍ତିଗତ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ପୁଷ୍ପେନ୍ଦରଙ୍କ ଶୁଟିଂ ହାତ କ୍ଷତିଗ୍ରସ୍ତ ହୋଇ ନ ଥିବାରୁ ସେ ଖୁବ୍‌ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବେ ବୋଲି କୋଚ୍‌ କହିଛନ୍ତି।

Share