ଭାଜପାରେ ସାମିଲ ହେଲେ ଏହି ସ୍ବର୍ଣ୍ଣ ବିଜୟିନୀ ମହିଳା ଶୁଟର୍‌

ନୂଆଦିଲ୍ଲୀ, ୪।୧୦: ବିହାର ନିର୍ବାଚନ ପୂର୍ବରୁ ଦିଗଂବତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ଝିଅ ତଥା ଜାତୀୟସ୍ତରର ମହିଳା ଶୁଟର୍‌ ଶ୍ରେୟାସୀ ସିଂ ଭାଜପାରେ ସାମିଲ ହୋଇଛନ୍ତି। ରବିବାର ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଦଳର ନେତା ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶ୍ରେୟାସୀ ଭାଜପାରେ ଯୋଗ ଦେଇଛନ୍ତି। ଶ୍ରେୟାସୀ ୨୦୧୮ରେ ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ବିହାର ନିର୍ବାଚନରେ ସେ ଅମରପୁରା (ବାଙ୍କା) କିମ୍ବା ଜାମୁଇ ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ଶ୍ରେୟାସୀଙ୍କ ବାପା ଦିଗ୍‌ବିଜୟ ସିଂ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ସେହିଭଳି ତାଙ୍କ ମା ପୁତୁଲ କୁମାରୀ ବାଙ୍କାର ପୂର୍ବତନ ଏମ୍‌ପି ଥିଲେ।

Share