ଆମେରିକାରେ ପୁଣି ଗୁଳିକାଣ୍ଡ, ହସ୍ପିଟାଲ ପରିସରରେ ୪ ମୃତ…

ଓ୍ବାଶିଂଟନ, ୨।୬ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଏଥର ଓକଲାହୋମାର ତୁଲସା ସହରର ସେଣ୍ଟ ଫ୍ରାନ୍ସିସ ହସ୍ପିଟାଲ କମ୍ପ୍ଲେକ୍ସରେ ଥିବା ନୈଟାଲୀ ବିଲଡିଂରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତୁଲସା ପୋଲିସର ସୂଚନାନୁସାରେ, ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା।

ପୋଲିସ ସହିତ ଗୁଳି ବିନିମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆମେରିକାର ତ୍ରୁଟିଯୁକ୍ତ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଆଇନ ଯୋଗୁ ଏଭଳି ଗୁଳିକାଣ୍ଡ ବଢ଼ିବାରେ ଲାଗିଛି।

ମେ ୨୪ ରେ ଏକ ଉଭାଲଡେସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିକାଣ୍ଡ ଯୋଗୁ ୧୯ ଜଣ ଶିଶୁଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଚିନ୍ତା ପ୍ରକଟ କରି ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ବର୍ତ୍ତମାନ ଏସମ୍ପର୍କରେ ପଦକ୍ଷେପ ନେବାର ସମୟ ଆସିଛି।

ବାଇଡେନଙ୍କୁ ତୁଲସା ହସ୍ପିଟାଲ କମ୍ପ୍ଲେକ୍ସରେ ହୋଇଥିବା ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ବିବୃତ୍ତିରେ ପରିସ୍ଥିତି ଉପରେ ନଜର ରଖାଯାଇଥିବା କୁହାଯାଇଛି। ସିଏନଏନ ଅନୁଯାୟୀ ତୁଲସା ପୋଲିସ ଏକ ଫେସବୁକ ପୋଷ୍ଟରେ କହିଛି ଯେ ଜଣେ ଅଜ୍ଞାତ ରାଇଫଲମ୍ୟାନ ନୈଟାଲୀ ବିଲଡିଂରେ ପଶି ଗୁଳି ଚଳାଇଛନ୍ତି। ତୁଲସା ଗୁଳକାଣ୍ଡର ଗୋଟିଏ ଦିନ ପୂର୍ବରୁ ନ୍ୟୁ ଓରଲିୟନ୍ସର ସ୍ନାତକୋତ୍ତର ଦୀକ୍ଷାନ୍ତ ସମାରୋହରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

ସୂଚନାଯୋଗ୍ୟ ଯେ ଦେଶରେ ଗୁଳି ବିନିମୟକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ବାଇଡେନ ଇତିମଧ୍ୟରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନଙ୍କ ସହ ଆଲୋଚନା କରିଛନ୍ତି। ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କଡା ପଦକ୍ଷେପ ସମ୍ପର୍କରେ ବାଇଡେନ ଆର୍ଡନଙ୍କ ସହ ପରାମର୍ଶ ଲୋଡିଛନ୍ତି। ନ୍ୟୁଜିଲାଣ୍ଡରେ ସେନା ରାଇଫଲ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହିତ ସରକାର ଲୋକଙ୍କଠାରୁ ପୁଣି ବନ୍ଧୁକ କିଣିଥିବା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

Share