ଶପିଂ ମଲ୍‌ରେ ଗୁଳିକାଣ୍ଡ, ୩ ମୃତ…

କୋପେନହେଗେନ୍‌, ୪।୭ : ଡେନମାର୍କର କୋପେନହେଗେନ୍‌ସ୍ଥିତ ଏକ ଶପିଂ ମଲ୍‌ରେ ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଡେନମାର୍କ ପୋଲିସ କହିଛି ଯେ ଏହି ମାମଲାରେ ଜଣେ ୨୨ ବର୍ଷୀୟ ଡେନମାର୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିହେବ ନାହିଁ। ଗୁଳିକାଣ୍ଡ ପରେ ଲୋକମାନେ ଭୟରେ ଶପିଂ ମଲରୁ ଦୌଡ଼ି ପଳାଇ ଆସିଥିବା ପୋଲିସ କହିଛି।

ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଗଣମାଧ୍ୟମ ସଂଗଠନ ଦ୍ୱାରା ଶେୟାର ହୋଇଥିବା ଫଟୋଗୁଡ଼ିକରେ ବହୁ ସଶସ୍ତ୍ର ପୋଲିସ ଏବଂ ଦଶଟି ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ଲାଗିଥିବାର ଦେଖାଯାଉଛି। ସୋସିଆଲ ମିଡିଆରେ ଶେୟାର ହୋଇଥିବା ଫଟୋରେ ଛୋଟ ପିଲାମାନେ ପରିବାର ସଦସ୍ୟଙ୍କ ସହିତ ମଲରୁ ଦୌଡ଼ି ବାହାରକୁ ଆସୁଥିବାର ଦେଖିବାକୁ ମିଳୁଛି।

ରବିବାର ଅପରାହ୍ନରେ ଡେନମାର୍କର ରାଜଧାନୀ ସୀମାନ୍ତରେ ଥିବା ସ୍କାଣ୍ଡିନେଭିଆର ସର୍ବବୃହତ ଶପିଂ ମଲରେ ଘଟିଥିବା ଏହି ଗୁଳିକାଣ୍ଡର କାରଣ ଜଣା ପଡ଼ି ନାହିଁ ବୋଲି ପୋଲିସ ଇନ୍ସପେକ୍ଟର ସୋରେନ ଥମସନ କହିଛନ୍ତି। ଡେନମାର୍କ ଟିଭି ଚ୍ୟାନେଲ ଟିଭି-୨ରେ ବନ୍ଧୁକଧାରୀ ଏକ ସ୍ଲିଭଲେସ ଶର୍ଟ ପିନ୍ଧି ଡାହାଣ ହାତରେ ରାଇଫଲ ଧରିଥିବାର ଏକ ଫଟୋ ପ୍ରସାରଣ କରାଯାଇଛି।

Share