ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଭାରତୀୟ ଶୁଟିଂ କୋଚ୍ ତଥା ଟେକ୍ନିକାଲ ଅଫିସିଆଲ ମୋନାଲି ଗୋର୍ହେଙ୍କର ଗୁରୁବାର ମୁକୋରମାଇକୋସିସ୍ ରୋଗରେ ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା। ସେ ତାଙ୍କ ମା’ ଓ ଏକମାତ୍ର ଭଉଣୀକୁ ଛାଡ଼ି ପରଲୋକ ଗମନ କରିଛନ୍ତି। ମୋନାଲି ପ୍ରଥମେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସେ ମୁକୋରମାଇକୋସିସ୍ରେ ପୀଡ଼ିତ ହେବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୁକୋରମାଇକୋସିସ ଏକପ୍ରକାର ଫଙ୍ଗାଲ ଇନ୍ଫେକ୍ସନ। ଏହା ନାକ, କାନ ଏବଂ ବେଳେବେଳେ ମସ୍ତିସ୍କରେ କ୍ଷତି ପହଞ୍ଚାଇଥାଏ। ମୋନାଲିଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରୋନା ସଂକ୍ରମିତ ତାଙ୍କ ପିତା ମନୋହର ଗୋର୍ହେଙ୍କର ଦେହାନ୍ତ ହୋଇଥିଲା। ମୋନାଲି ହେଉଛନ୍ତି ଜଣେ ପିସ୍ତଲ କୋର୍ ଗ୍ରୁପ୍ କୋଚ୍। ସେ ଶ୍ରୀଲଙ୍କା ଜାତୀୟ ଶୁଟିଂ ଦଳର କୋଚ୍ ଭାବେ କାର୍ଯ୍ୟ କରିଛନ୍ତି। ନାସିକ୍ଠାରେ ସେ ‘ଏକ୍ସେଲ୍ ଶୁଟିଂ’ ନାମକ ଏକ ଶୁଟିଂ କୋଚିଂ ସେଣ୍ଟର ପ୍ରତିଷ୍ଠା କରିଥିଲେ। ସେଠାରେ ମହାରାଷ୍ଟ୍ରର ଶତାଧିକ ଛାତ୍ର ତାଲିମ ନେଇ ସାରିଛନ୍ତି। ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନ୍ଆର୍ଏଆଇ) ପକ୍ଷରୁ ମୋନାଲି ଓ ତାଙ୍କ ପିତାଙ୍କ ମୃତ୍ୟୁରେ ଗଭୀରଶୋକ ପ୍ରକାଶ କରାଯାଇଛି।