ଫ୍ଲୋରିଡାରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୨୭।୮ : ଆମେରିକାର ଫ୍ଲୋରିଡାସ୍ଥିତ ଏକ ଜେନେରାଲ ଷ୍ଟୋରରେ ତିନି ଜଣଙ୍କୁ ଜାତିଆଣ ବିବାଦ ନେଇ ୩ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ କହିଛନ୍ତି ହତ୍ୟାକାରୀ ଜାତିଭିତ୍ତିକ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। କାରଣ ଆକ୍ରମଣକାରୀ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଅଧିକାରୀ କହିଛନ୍ତି ଆକ୍ରମଣ ପରେ ଶ୍ୱେତାଙ୍ଗ ଆକ୍ରମଣକାରୀ ନିଜକୁ ଗୁଳି ଚଳାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ପ୍ରମାଣ ସୂଚିତ କରୁଛି ଆକ୍ରମଣକାରୀ ଘୃଣାର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ, ଯାହାକି ଏହି ଆକ୍ରମଣର ମୁଖ୍ୟ କାରଣ। ତେବେ ଜ୍ୟାକସନଭିଲରେ ହୋଇଥିବା ଆକ୍ରମଣରେ କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଶେୟାର କରାଯାଇ ନାହିଁ।

ଏଥି ସହିତ ଶନିବାର ପୂର୍ବାହ୍ନରେ ଆମେରିକାର ବୋଷ୍ଟନରେ ପ୍ରସିଦ୍ଧ ବୋଷ୍ଟନ ପରେଡରେ ଗୁଳିକାଣ୍ଡ ଘଟିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଥିରେ ୭ ଜଣ ଆହତ ହୋଇଛନ୍ତି। ଏଥି ସହ ଗୁଳି ବିନିମୟ ହେତୁ ପରେଡକୁ ବନ୍ଦ କରିବାକୁ ପଡିଥିଲା। ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି। ସମସ୍ତଙ୍କର ଅବସ୍ଥା ସ୍ଥିର ଅଛି। କାହାର ଜୀବନ ପାଇଁ କୌଣସି ବିପଦ ନାହିଁ। ପୋଲିସ କହିଛି ଘଟଣା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।

ବୋଷ୍ଟନ ପୋଲିସ ଏହା ପୂର୍ବରୁ ସହରର ମୁଖ୍ୟ କାରିବିଆନ କାର୍ନିଭାଲର ଅଂଶବିଶେଷ ଥିବା ଜୁଭର୍ଟ ପ୍ୟାରେଡ ସମୟରେ ଘଟିଥିବା କହିଥିଲେ। ତେବେ ପରେ ପରେ ପୋଲିସ କମିଶନର ମାଇକେଲ କକ୍ସ ସ୍ପଷ୍ଟ କରିଛନ୍ତି ଗୁଳି ବିନିମୟ ପରେଡରେ ନୁହେଁ ବରଂ ନିକଟବର୍ତ୍ତୀ ଅଞ୍ଚଳରେ ଘଟିଛି। ଗୁଳି ବିନିମୟ ହେତୁ ପରେଡ ବନ୍ଦ ହୋଇଯାଇଥିବା କକ୍ସ କହିଛନ୍ତି। ଯଦିଓ ଇଭେଣ୍ଟ ସହିତ ଏହାର କୌଣସି ସମ୍ପର୍କ ନ ଥିଲା ।

Share