ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ କରାଯିବ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ପୋଷ୍ଟମର୍ଟମ ହୋଇସାରିଛି କିନ୍ତୁ ଏଥର ଏହା ମେଡିକାଲ ବୋର୍ଡର ତତ୍ତ୍ୱାବଧାନରେ କରାଯିବ ବୋଲି କୁହାଯାଇଛି। ଫରିଦକୋଟର ଜିଜିଏସ୍‌ ମେଡିକାଲ କଲେଜରେ ଏକ ମେଡିକାଲ ବୋର୍ଡ ଗଠନ କରାଯିବ ବୋଲି କୁହାଯାଇଥିଲା, ଯାହାର ତତ୍ତ୍ୱାବଧାନରେ ପୋଷ୍ଟମର୍ଟମ କରାଯିବ। କୋର୍ଟଙ୍କ ଏହି ଆଦେଶ ମୃତକଙ୍କ ସମ୍ପର୍କୀୟଙ୍କ ଆବେଦନ ଉପରେ ଆସିଛି।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶର କପି ଗ୍ରହଣ କରିବାର ଦୁଇ ଦିନ ମଧ୍ୟରେ ଏହି ପୋଷ୍ଟମର୍ଟମ କରାଯିବ। ଅନୁଜ ପୋଲିସ ହେପାଜତରେ ଆତ୍ମହତ୍ୟା କରିଥିଲେ। ଏହା ପରେ ପରିବାର ପୁନର୍ବାର ପୋଷ୍ଟମର୍ଟମ ଦାବି କରିଥିଲେ। ଏହି ଦାବି ସମ୍ପର୍କରେ ଅନୁଜଙ୍କ ପିତାମାତା ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଅନୁଜଙ୍କ ମା’ଏହାକୁ ଦାଖଲ କରିଥିଲେ।

ସୂଚନାଯୋଗ୍ୟ, ଗତ ମାସରେ, ଏପ୍ରିଲ ୧୪ରେ, ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଅନୁଜ ଥାପାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ମଡ୍ୟୁଲ ଭାବରେ ପଞ୍ଜାବରୁ ଗିରଫ କରିଥିଲା। ଏହା ପରେ ସେ ପୋଲିସ ହେପାଜତରେ ଥିବାବେଳେ ସୁଯୋଗ ପାଇ ଆତ୍ମହତ୍ୟା କରିଥିଲେ। ଅନୁଜଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ସେ ଆତ୍ମହତ୍ୟା କରିନାହାନ୍ତି। ତାଙ୍କ ପୁଅକୁ ପୋଲିସ ହେପାଜତରେ ହତ୍ୟା କରାଯାଇଛି।

ଅନୁଜଙ୍କ ପରିବାର ସଦସ୍ୟ କହିଛନ୍ତି, ଏହି ମାମଲା ସଲମାନଙ୍କ ସହ ଜଡ଼ିତ ଥିବାରୁ ମୁମ୍ବାଇ ପୋଲିସ ଉପରେ ବହୁତ ଚାପ ରହିଛି। ତେଣୁ ସେମାନେ ଅନୁଜଙ୍କୁ ନିର୍ଯାତନା ଦେଇ ତାଙ୍କ ଜୀବନ ନେଇଥିଲେ। ପରେ ଏହି ଷଡ଼ଯନ୍ତ୍ର ମାମଲାକୁ ଆତ୍ମହତ୍ୟାରେ ପରିଣତ କରାଯାଇଥିଲା। ପରିବାର ସଦସ୍ୟ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯେଉଁଥିରେ ଏହି ନୂତନ ନିଷ୍ପତ୍ତି ନିଆଯାଇଛି।

Share