ଓ୍ବେଷ୍ଟବ୍ୟାଙ୍କ ଇହୁଦୀ ବସ୍ତିରେ ଗୁଳି କାଣ୍ଡ, ୬ ଇସ୍ରାଏଲ ନାଗରିକ ଆହତ, ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଜେରୁଜେଲମ,୨।୮ : ଓ୍ବେଷ୍ଟବ୍ୟାଙ୍କର ଏକ ଇହୁଦୀ ବସ୍ତିରେ ଜଣେ ପାଲେଷ୍ଟାଇନ ଉଗ୍ରବାଦୀ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬ ଜଣ ଇସ୍ରାଏଲ ନାଗରିକ ଆହତ ହୋଇଛନ୍ତି। ଇସ୍ରାଏଲ ପୋଲିସ ଏକ ବିବୃତ୍ତିରେ କହିଛି ମାଲେହ ଆଦୁମିମରେ ଜଣେ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଏହା ପରେ ପୋଲିସ ବନ୍ଧୁକଧାରୀଙ୍କୁ ଗୁଳି କରି ହତ୍ୟା କରିଥିଲା।

ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି ଆକ୍ରମଣକାରୀ ୨୦ ବର୍ଷିୟ ମୁହାନନାଦ ମହମ୍ମଦ ଅଲ-ମଜାରାଙ୍କୁ ଇସ୍ରାଏଲ ପୋଲିସ ଏନକାଉଣ୍ଟର କରିଛି। ଜେରୁଜେଲମର ଦୁଇଟି ଡାକ୍ତରଖାନା କହିଛି ଏହି ଆକ୍ରମଣରେ ଜଣେ କିଶୋରଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବନ୍ଧୁକଧାରୀଙ୍କୁ ଗୁଳି ଚଳାଇଥିବା ନେଇ ଅଫ ଡ୍ୟୁଟି ଅଧିକାରୀ କହିଛନ୍ତି ସେ ସାଲୁନରେ ଥିଲେ। ଏହି ସମୟରେ ସେ ଗୁଳିର ଶବ୍ଦ ଶୁଣିଥିଲେ ଏବଂ ଲୋକମାନେ ପାଟି କରିଥିଲେ। ବାହାରକୁ ଯାଇ ଦେଖିଲେ ଜଣେ ବ୍ୟକ୍ତି ହଳଦିଆ ରଙ୍ଗର ପୋଷାକ ପିନ୍ଧି ପିସ୍ତଲ ଧରିଛନ୍ତି। ମୁଁ ନିଶ୍ଚିତ ନ ଥିଲି ସେ ଜଣେ ଆତଙ୍କବାଦୀ। ବନ୍ଦ କରିବାକୁ ମୁଁ ତାଙ୍କୁ ପାଟି କରି ବନ୍ଧୁକ ଟାଣିଲି। ସେ ମୋ ଉପରକୁ ଗୁଳି ଚଳାଇବା ଆରମ୍ଭ କଲେ ଏବଂ ମୁଁ ଅନୁଭବ କଲି ସେ ଜଣେ ଆତଙ୍କବାଦୀ। ତା’ପରେ ମୁଁ ପାଲଟା ଗୁଳି ଚାଳନା କରିଥିଲି।

ଏହି ସମୟରେ ଇସ୍ରାଏଲର ଜନ ସୁରକ୍ଷା ମନ୍ତ୍ରୀ ଇଟାମର ବେନ-ଗିଭର୍‌ ବନ୍ଧୁକଧାରୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଧିକାରୀ ତଥା ସାଧାରଣ ନାଗରିକ ଏବଂ ସରକାରଙ୍କ ନୀତିକୁ ପ୍ରଶଂସା କରିଛନ୍ତି। ଆକ୍ରମଣ ସ୍ଥଳ ପରିଦର୍ଶନ କରିବା ପରେ ସେ କହିଛନ୍ତି ସାଧାରଣ ନାଗରିକଙ୍କୁ ଅସ୍ତ୍ର ଯୋଗାଇବା ନୀତି ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେଉଛି।

Share