ସ୍ବାଭିମାନ ଅଞ୍ଚଳରେ ପୁଷ୍ପା-୨ର ଶୁଟିଂ

ମାଲକାନଗିରି,୨୦ା୪(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ଦକ୍ଷିଣ ଭାରତର ଲୋକପ୍ରିୟ ଚଳଚ୍ଚିତ୍ର ‘ପୁଷ୍ପା ଦି ରାଇଜ୍‌’ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି। ଏବେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ପୁଷ୍ପା-୨ର ଶୁଟିଂ ଓଡ଼ିଶାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ କରିବାକୁ ନିଷ୍ପତ୍ତି ନେବା ପରେ ଏଥିପାଇଁ ପୂରା ଟିମ୍‌ ମଙ୍ଗଳବାର ଆସି ପହଞ୍ଚତ୍ଛନ୍ତି। ପୂର୍ବରୁ ଏହି ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ମାତା ସ୍ବାଭିମାନ ଅଞ୍ଚଳରେ ପହଞ୍ଚତ୍ ଏହାର ପ୍ରାକୃତିକ ପରିବେଶ, ଘଞ୍ଚ ଜଙ୍ଗଲ, ନଦୀ ଏବଂ ଚିରସ୍ରୋତା ଝରଣା ବୁଲି ଯାଇଥିଲେ। ପରେ ଟିମ୍‌ ଆଲୋଚନା କରି ଚଳଚ୍ଚିିତ୍ର ଶୁଟିଂ ପାଇଁ କେତୋଟି ସ୍ଥାନ ଚୟନ କରିଛି। ଗତ ଦୁଇ ସପ୍ତାହ ତଳେ ଉପରୋକ୍ତ ଅଞ୍ଚଳରେ ପୁଷ୍ପା-୨ର ଶୁଟିଂ କରିବାକୁ ପ୍ରଯୋଜନା ସଂସ୍ଥା ମାଲକାନଗିରି ଜିଲାପାଳ ଓ ଏସ୍‌ପିଙ୍କୁ ଅନୁମତି ପାଇଁ ଆବେଦନ କରିଥିଲା। ଅନୁମତି ପରେ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା ନିକଟସ୍ଥ ତରାବୁ ଜଳପ୍ରପାତ ନିକଟରେ ପୁଷ୍ପା-୨ର ଶୁଟିଂ ନିମନ୍ତେ ନିର୍ଦ୍ଦେଶକ, ପ୍ରଯୋଜକ, ମୈତ୍ରୀ ମୁଭି ମେକର ଟିମ୍‌ ଦୁଇଟି ସ୍ବତନ୍ତ୍ର ବସ୍‌ ଯୋଗେ କଳାକାରମାନଙ୍କୁ ଧରି ପହଞ୍ଚତ୍ଛନ୍ତି। ସେଠାରେ ଜଙ୍ଗଲୀ ସେଟ୍‌ ତିଆରି ଚାଲିଛି। ଟିମ୍‌ରେ ମୈତ୍ରୀ ମୁଭି ମେକର ପକ୍ଷରୁ ଫାଇଟ ମାଷ୍ଟର ପିଟର ହାଇସନ୍‌, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ଶୁଭ୍ରମଣ୍ୟମ୍‌ଙ୍କ ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରାମ୍ୟାନ ଦେବରାଜ ରହିିଛନ୍ତି। ସେମାନେ ବିଭିନ୍ନ ସ୍ଥାନ ବୁଲି ଲୋକେଶନ ସେଟ୍‌ କରୁଛନ୍ତି। ଏହି ଶୁଟିଂ ସମୟରେ ଶୁଟିଂ ଦେଖିବାକୁ ଯେପରି ପ୍ରବଳ ଭିଡ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇ ଟିମ୍‌ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ଶୁଟିଂ ଆରମ୍ଭ କରିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଏହି ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କେତେକାଂଶରେ ଶୁଟିଂ ହୋଇଥିବା ଖବର ମିଳିଛି।

Share