Categories: ଖେଳ

ଶୁଭମ, ସାଇନ୍ୟାମଙ୍କୁ ମିଳିଲା ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬ା୭: କୋରିଆର ଚାଙ୍ଗଓନ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଜୁନିୟର ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତର ପ୍ରତିଭା ସମ୍ପନ୍ନ ଶୁଟର ଶୁଭମ ବିସ୍‌ଲା ଓ ସାଇନ୍ୟାମ ଯଥାକ୍ରମେ ପୁରୁଷ ଓ ମହିଳା ୧୦ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଇଏସ୍‌ଏସ୍‌ଏଫ୍‌ ଜୁନିୟରସ୍ତରରେ ଶୁଭମଙ୍କର ଏହା ହେଉଛି ପ୍ରଥମ ସ୍ବର୍ଣ୍ଣ। ସାଇନ୍ୟାମଙ୍କର କିନ୍ତୁ ଏହା ଥିଲା ଦ୍ୱିତୀୟ ସ୍ବର୍ଣ୍ଣ। ପୂର୍ବରୁ ସେ ଗତ ମାସରେ ସୁହଲଠାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତ ପ୍ରଥମ ଦିବସରେ ଦୁଇ ପଦକ ଲାଭ କରିବା ଦ୍ୱାରା ପଦକ ତାଲିକାରେ ପ୍ରଥମ ସ୍ଥାନର ରହିଛି।

ପୁରୁଷ ଏୟାର ପିସ୍ତଲ ଫାଇନାଲରେ ୨୪୪. ୬ ପଏଣ୍ଟ ସ୍କୋର କରି ଶୁଭମ ଚାଇନାର ବୁ ଶୁଆଇହାଙ୍ଗ୍‌ (୨୩୯.୬)ଙ୍କୁ ପଛରେ ପକାଇ ଦେଇଥିଲେ। କୋରିଆର କିମ୍‌ କାଙ୍ଗହ୍ୟୁନ୍‌ (୨୧୮.୨) ବ୍ରୋଞ୍ଜ ପାଇଥିଲେ। ଶୁଭମ (୫୭୮) ପୂର୍ବରୁ କ୍ୱାଲିଫାଇଂ ରାଉଣ୍ଡରେ ବୁ’ (୫୮୫)ଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ସାଇନ୍ୟାମ ୨୪୨.୨ ଶୁଟିଂ ସହ ମହିଳା ଫାଇନାଲ ଜିତିଥିଲେ। କୋରିଆର ଓହ୍‌ ୟେ ଜିନ୍‌ (୨୩୯.୪) ରୌପ୍ୟ ଏବଂ ଚାଇନାର ୟାଓ କ୍ୱିଆନ୍‌ଜୁନ୍‌ (୨୧୮.୬) ବ୍ରୋଞ୍ଜ ପାଇଛନ୍ତି।

Share