Categories: ଖେଳ

ଶୁଟିଂ ସେନ୍‌ସେଶନ

ଭାରତର ନୂଆ ଶୁଟିଂ ସେନ୍‌ସେଶନ ଭାବେ ଉଭା ହୋଇଛନ୍ତି ଟିନ୍‌ଏଜର ରିଦିମ୍‌ ସାଙ୍ଗଓ୍ବାନ। ନିକଟରେ କାଇରୋରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପର ମିକ୍ସଡ ଟିମ୍‌ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ସାଥୀ ଶୁଟରଥିଲେ ବରୁଣ ତୋମାର। ୨୦୦୩ ନଭେମ୍ବର ୨୯ରେ ଦିଲ୍ଲୀରେ ଜନ୍ମିତ ରିଦିମ୍‌ଙ୍କୁ ଏବେ ୧୯ ବର୍ଷ। ମାତ୍ର ଏହା ମଧ୍ୟରେ ସେ ଅନେକ ସଫଳତା ହାସଲ କରି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି। ଜଣେ ଭାରତୀୟ ପିସ୍ତଲ ଶୁଟରଭାବେ ପରିଚିତ ରିଦିମ୍‌ ସାଧାରଣତଃ ୧୦ ମିଟର ଓ ୨୫ ମିଟର ଏୟାର ପିସ୍ତଲ ଏବଂ ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି। ସେ ଉଭୟ ଜୁନିୟର ଓ ସିନିୟର ସ୍ତରରେ ଶୁଟିଂ ବିଶ୍ୱକପରେ ପ୍ରଦର୍ଶନର ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ୨୦୨୧ରେ ଶୁଟିଂକୁ ସିରିୟସଭାବେ ନେଇଥିବା ଏହି ପ୍ରତିଭାସମ୍ପନ୍ନ ଶୁଟର ଏହା ମଧ୍ୟରେ ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ବିଶ୍ୱ ଚାମ୍ପିୟନଶିପ୍‌ରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ, ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପରେ ୩ ସ୍ବର୍ଣ୍ଣ, ୧ ରୌପ୍ୟ, ୧ ବ୍ରୋଞ୍ଜ ଏବଂ ଜୁନିୟର ବିଶ୍ୱକପରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିସାରିଛନ୍ତି। ଫଳରେ ତାଙ୍କର ମୋଟ ପଦକ ସଂଖ୍ୟା ୮ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧ ବ୍ରୋଞ୍ଜରେ ପହଞ୍ଚତ୍ଛି। ୨୦୨୨ରେ ସେ ଅନେକ ସଫଳତା ପାଇଥିଲେ। ଏହା ମଧ୍ୟରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପର ୨୫ ମିଟର ପିସ୍ତଲ ମହିଳା ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ, ୨୫ ମିଟର ର଼୍ୟାପିଡ୍‌ ଫାୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ, ୧୦ ମିଟର ଏୟାର ପିସ୍ତଲ ମହିଳା ଟିମ୍‌ରେ ରୌପ୍ୟ, ୨୫ ମିଟର ର଼୍ୟାପିଡ ଫାୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ସାମିଲ। ଏହା ବ୍ୟତୀତ ସେ ୨୦୨୨ ଏସିଆନ ଏୟାରଗନ୍‌ ଚାମ୍ପିୟନଶିପ୍‌ ୧୦ ମିଟର ଏୟାର ପିସ୍ତଲ ଇଣ୍ଡିଭିଜୁଆଲ ଇଭେଣ୍ଟରେ ସ୍ବର୍ଣ୍ଣ ଏବଂ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୨୧ରେ ଲିମାଠାରେ ଅନୁଷ୍ଠିତ ବିଶ୍ୱ ଜୁନିୟର ଶୁଟିଂ ଚାମ୍ପିୟନଶିପ୍‌ର ବିଭିନ୍ନ ଇଭେଣ୍ଟରେ ସେ ୪ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ।

Share