ନନ୍ଦପୁର, ୪ା୪ (ଡି.ଏନ.ଏ.): ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳରେ ଦୋକାନ ଗୃହମାନ ନିର୍ମାଣ କରାଯାଉଛି। ଏଥିରେ ବହୁ ଅର୍ଥ ବ୍ୟୟ ହେଉଛି। ମତ୍ର ଦୋକାନ ଗୃହ ନିର୍ମାଣ ପରେ ଏଗୁଡିକ କାର୍ଯ୍ୟକ୍ଷମ ହେଉ ନ ଥିବା ଦେଖିବାକୁ ମିଳୁଛି। କୌଣସି ନା କୌଣସି କାରଣରୁ ଦୋକାନ ଗୃହଗୁଡିକର ଶଟର ଖୋଲୁନି। ଫଳରେ ଯେଉଁ ଲକ୍ଷ୍ୟରେ ଏହା ନିର୍ମାଣ ହୋଇଥିଲା ତାହା ବିଫଳ ହେଉଛି।
କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ପଞ୍ଚାୟତରେ ଏପରି ଦେଖିବାକୁ ମିଳିଛି। ପାଡୁଆ ପଞ୍ଚାୟତ ବଡଦେବତା (ଭୈରବୀ) ମନ୍ଦିର ନିକଟରେ ନିର୍ମାଣ ହୋଇଥିବା ୧୦ଟି ଦୋକାନ ଗୃହ ନିର୍ମାଣ ସରିଥିଲେ ମଧ୍ୟ ୬ ମାସ ହେଲା କାହାକୁ ଭଡ଼ାରେ ପ୍ରଦାନ କରାଯାଇନାହିଁ। ୫ମ ଏସ୍ଏଫ୍ସି ପାଣ୍ଠିରୁ ପଞ୍ଚାୟତ ପକ୍ଷରୁ ୧୦ ଲକ୍ଷ ଓ ବ୍ଲକ ପକ୍ଷରୁ ୧୦ ଲକ୍ଷ ଏପରି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିିତ ଏହି ୧୦ଟି ଦୋକାନ ଗୃହ ପାଡୁଆର ବେକାର ଯୁବତୀଯୁବକମାନଙ୍କୁ ବଣ୍ଟନ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ଏଥିରୁ ଆୟ କରିବାକୁ ଲକ୍ଷ୍ୟ ରଖିଥିବା ପଞ୍ଚାୟତ ନିରାଶ ହୋଇଛି।ଏନେଇ ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଜସକେତନ ବେହେରାଙ୍କୁ ପଚାରିବାରୁ ସେ ଦୋକାନ ଗୃହଗୁଡ଼ିକ ଭଡ଼ା ଦେବାକୁ ପଞ୍ଚାୟତ ପକ୍ଷରୁ ବିଜ୍ଞାପନ ପ୍ରକାଶ କରିବାକୁ ନିର୍ଦ୍ଦେଶ ହୋଇଛି ବୋଲି କହୁଥିବା ବେଳେ ପିଇଓ ଗୃହ ନିର୍ମାଣ କରିଥିବା ଠିକାଦାର ଏଯାଏ ଏହି ନବନିର୍ମିତ ଦୋକାନ ଗୃହର ଚାବି ଦେଇ ନ ଥିବା କହିଛନ୍ତି। ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନିର୍ମିତ ଦୋକାନ ଗୃହଗୁଡ଼ିକ ଆଗ୍ରହୀ ଯୁବତୀଯୁବକମାନଙ୍କୁ ବଣ୍ଟନ କରିବାକୁ ଦାବି ହେଉଛଇ।