Categories: ଅନୁଗୋଳ

ଦୋକାନରେ ତାଲା, ଘରେ ବେପାର

ଅନୁଗୋଳ ଅଫିସ୍‌, ୨୮।୭
ଅନୁଗୋଳରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ପ୍ରହସନ ପାଲଟିଛି ଲକ୍‌ଡାଉନ୍‌ କଟକଣା। ସକାଳୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଥିଲେ ହେଁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। କେତେଜଣ ବ୍ୟବସାୟୀ ଅତି ଚତୁରତାର ସହ ଦୋକାନରେ ତାଲା ପକାଇ ଘରେ ରାଶନ ସାମଗ୍ରୀ ରଖି ଝରକାବାଟେ ବିକ୍ରି କରୁଥିବା ଚର୍ଚ୍ଚା ହେଉଛି। ଏପରି କି ପ୍ରତି ସପ୍ତାହର ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଏହି ବ୍ୟବସାୟୀମାନେ ସେମାନଙ୍କ କାରବାର ଜାରି ରଖିଥିବା କୁହାଯାଉଛି। କିନ୍ତୁ ଏପରି ବ୍ୟବସାୟୀଙ୍କୁ ସାବାଡ୍‌ କରିବା ସହ ଜରିମାନା ଆଦାୟ ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି ଉଲ୍ଲଂଘନକାରୀଙ୍କ ନିକଟରେ ପହଞ୍ଚିପାରୁ ନ ଥିବା ଆଲୋଚନାର ବିଷୟ ହୋଇଛି।
ସହରର ବିଭିନ୍ନ ସାହିରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି। ଖୋଦ୍‌ ପୌରପାଳିକା କଲୋନୀ ନିକଟରେ ମଧ୍ୟ ଘର ଝରକାବାଟେ ରାଶନ ସାମଗ୍ରୀ ଗ୍ରାହକଙ୍କୁ ଦିଆଯାଉଛି। ଅନେକ ସ୍ଥାନରେ ଲୋକେ ରୁଣ୍ଡ ହୋଇ ଚା, ସିଗାରେଟ୍‌, ପୁଡ଼ିଆ ଖାଇ ଖଟି କରୁଛନ୍ତି। ଶଟ୍‌ଡାଉନ ବେଳେ କ୍ଷୀର ବିକ୍ରି କରିବାକୁ ଅନୁମତି ପାଇଥିବା କେତେଜଣ ଦୋକାନୀ ଅନ୍ୟ ସାମଗ୍ରୀ ବିକ୍ରି କରୁଥିବା ଦେଖାଯାଉଛି। ଏ ନେଇ ପୌରପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଜରୁରିକାଳୀନ ସେବାକୁ ବାଦ୍‌ ଦେଇ ଅନ୍ୟ କେହି କଟକଣା ଉଲ୍ଲଂଘନ କଲେ ସେମାନଙ୍କୁ ଧରିବା ପାଇଁ ଉପଜିଲାପାଳ, ପୋଲିସ, ପୌରପାଳିକା ଓ ତହସିଲ ଅଧିକାରୀଙ୍କୁ ମିଶାଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ସହରରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପଇଁତରା ମାରି ଅମାନିଆଙ୍କୁ ପ୍ରଥମେ ବୁଝାଇବେ। ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ରହିଛି। କିନ୍ତୁ ଟିମ୍‌ କେଉଁଠି ଚଢ଼ାଉ କରୁଛନ୍ତି ତାହା କେହି ଜାଣିପାରୁ ନାହାନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅବୁଝା ଲୋକଙ୍କୁ ଆଉ କିପରି ବୁଝାଇବୁ। ସେମାନଙ୍କୁ ଯାହା କହିଲେ ବି ସୁଧୁରୁ ନାହାନ୍ତି। ଏଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।