Categories: ଜାତୀୟ

ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ସଫା ମିଶନ ଜାରି ରହିଛି। ଶୁକ୍ରବାର ଶୋପିଆନ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୋପିଆନ ଜିଲାର କିଲୋରା ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଏହାପରେ ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଭୟଭୀତ ହୋଇପଡ଼ି ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଏହି ଗୁଳିବିନିମୟରେ ୪ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share