Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ବୁରହାନ ଓ୍ବାନିଙ୍କ ସମ୍ପର୍କୀୟ ଭାଇ ନିହତ

ଶ୍ରୀନଗର,୯।୪: ଜମ୍ମୁ-କଶ୍ମୀରର ଶୋପିଆନ ଓ ତ୍ରାଲ ଅଞ୍ଚଳରେ ଗୁରୁବାରଠାରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଶୋପିଆନରେ ୩ ଓ ତ୍ରାଲରେ ୨ ମୋଟ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ଏହି ଗୁଳିବିନିମୟରେ ୪ଯବାନ ଆତ ହୋଇଥିବା ବେଳେ ସମସ୍ତଙ୍କୁ ସେନାର ୯୨-ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଶୋପିଆନ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ୩ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଆତଙ୍କବାଦୀ ସଂଗଠନ ହିଜାବୁଲ ମୁଜାହିଦ୍ଦିନର କମାଣ୍ଡର ବୁରହାନ ଓ୍ବାନିର ସମ୍ପର୍କୀୟ ଭାଇ ଇମିତିଆଜ ଶାହ ଥିବା ଜଣାପଡ଼ିଛି। ଆତଙ୍କବାଦୀ ଇମିତିଆଜ ଅନସର ଗଜଓ୍ବାତ୍‌-ଉଲଥ୍‌-ହିନ୍ଦର କମାଣ୍ଡର ଥିଲେ। ଏନେଇ କଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି। ଅନ୍ୟପଟେ ଶୋପିଆନରେ ଏବେ ବି ୨ଜଣ ଆତଙ୍କବାଦୀ ମସ୍‌ଜିଦ୍‌ର ଲୁଚି ରହିଛନ୍ତି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ସେମାନଙ୍କୁ ଆତ୍ମସମର୍ପଣ କରାଇବା ପାଇଁ ସେନା ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ ଏବେ ବି ଘଟଣାସ୍ଥଳରେ ଗୁଳିବିନିମୟ ଜାରି ରହିଛି।

Share