Categories: ଜାତୀୟ

୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ହତ୍ୟାକାରୀ ଆତଙ୍କବାଦୀଙ୍କ ସମେତ ୨ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗୁଳିକରିଛନ୍ତି। ଏହି ୨ ଆତଙ୍କବାଦୀ ଲସ୍କର-ଇ-ତୋଏବାର ବୋଲି ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଶୋପିଆନର ଜାନ ମହମ୍ମଦ ଲୋନ ହୋଇଥିବା ବେଳେ ସେ ଅନ୍ୟ ଆତଙ୍କବାଦୀ ଘଟଣା ବ୍ୟତୀତ ଜୁନ ୨ରେ କୁଲଗାମରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ହତ୍ୟାରେ ମଧ୍ୟ ସମ୍ପୃକ୍ତ ଥିଲେ। ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଜାରି ରହିଛି। ଫଳରେ ସୁରକ୍ଷାକର୍ମୀ ଓ ଜମ୍ମୁ-କଶ୍ମୀର ପୋଲିସ ଘାଟିରେ ମିଳିତ ଅପରେଶନ୍‌ ଚଳାଇଛନ୍ତି। ଇତିମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ ଶୋପିଆନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ଭାବେ ଏହି ଅପରେଶନ୍‌ ଆରମ୍ଭ କରିଥିଲେ। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share