ଅଭାବୀ ବିକ୍ରି: ମିଳୁନି ଉପଯୁକ୍ତ ଦର

ରାଇକିଆ, ୩।୩(ଡି.ଏନ୍‌.ଏ.): ପନିପରିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ଦର । ମିଳୁନି ବଜାର ସୁବିଧା । ବିକ୍ରି କରି ନ ପାରି ଶେଷରେ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି ଉତ୍ପାଦିତ ଫସଲ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ ବ୍ଲକ ଗୁମାମାହା ପଞ୍ଚାୟତ କିଲାକିଆ ଗ୍ରାମରେ। ଗ୍ରାମର ଚାଷୀ ଅନାମ ପ୍ରଧାନ ଗତ ଅକ୍ଟୋବର ମାସରେ ୩୦ ହଜାର ବନ୍ଧାକୋବି ଚାରା ରୋପଣ କରିଥିଲେ। ଏନେଇ ସେ ୫୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଏବେ ଅମଳ ହେଲାବେଳକୁ ଏହା କିଣିବାକୁ କେହି ଆସି ନ ଥିଲେ। ଏପରିକି ଦର କମ୍‌ ଥିବା ଦର୍ଶାଇ ବନ୍ଧାକୋବି ଗୋଟାକୁ ୨ରୁ ୩ଟଙ୍କାରେ ବିକ୍ରି କରିଥିଲେ ମଧ୍ୟ କେହି ନେଇ ନ ଥିଲେ।

ଏପରିକି ଅଟୋ ଯୋଗେ ରାଇକିଆ ସହରକୁ ବିକ୍ରି କରିବାକୁ ନେଇଥିଲେ ମଧ୍ୟ ଅଟୋ ଭଡ଼ା ବାବଦକୁ ୧୫୦ ଟଙ୍କା ମଧ୍ୟ ବେପାର ହୋଇ ନ ଥିଲା। ତେଣୁ ବାଧ୍ୟ ହୋଇ କୋବି ଚାଷ ଜମିକୁ ଗୋରୁଙ୍କୁ ଛାଡ଼ି ଦେଇଛନ୍ତି। କୋବି ପଚିଯିବା ଅପେକ୍ଷା ଗୋରୁଙ୍କୁ ଖାଇବାକୁ ଦେବାଲାଗି ଉଚିତ ମନେ କରିଥିବା ଅନାମ କହିଛନ୍ତି ।

Share