କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ ଚିନ୍ତା। ଅଭାବୀ ବିକ୍ରିର ଶିକାର ହେଉଛନ୍ତି କଳାହାଣ୍ଡି ଜିଲାର କାଜୁ ଚାଷୀ। ଜିଲାର କାଜୁଚାଷ ବହୁଳ ଅଞ୍ଚଳ ହେଉଛି ଧର୍ମଗଡ ବ୍ଲକର ତାରାପୁର, ଅଇଁଲା ଜୋର୍‌, ପର୍ଲା, କଦଳିମୁଣ୍ଡା, ଧଅଁର ପୁର, ଜୟନ୍ତପୁର, କୋକସରା ବ୍ଲକର ରେଙ୍ଗାଲପାଲି, ଆମ୍ବପାଣି, ରଏନଗୁଡା, ଦାବ୍ରିଗୁଡା, ଡୁଡୁକାଠେଙ୍ଗା, ଗୋତୋମୁଣ୍ଡା, ଏମ୍‌ ରାମପୁର ଓ ଥୁଆମୂଳ ରାମପୁର ବ୍ଲକ ଆଦି ଅଞ୍ଚଳ। ପାଖାପାଖି ୫ ହଜାର ହେକ୍ଟର ଜମିରେ କାଜୁଚାଷ ହୋଇଥାଏ।

ଚଳିତବର୍ଷ ଭଲ ବଉଳ ହୋଇଥିଲା। ହେଲେ କାଳବୈଶାଖୀ ବଉଳ ନଷ୍ଟ କରିଥିବା ବେଳେ ତଥାପି କିଛି ଭଲ କାଜୁ ଅମଳ ଆଶା ରଖିଥିଲା ଚାଷୀ। ହେଲେ ଅଭାବୀ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଏପ୍ରିଲ ଓ ମେ ମାସ ଗାଁ ଗାଁ ବୁଲି କାଜୁ ଫଳ ବିକ୍ରିକରି ଚାଷୀ ଦୁଇପଇସା ରୋଜଗାର କରି ପରିବାର ପୋଷଣ କରୁଥିଲେ। ପରେ ମଞ୍ଜିକୁ କେଜି ପ୍ରତି ୧୦୦ରୁ ୧୨୦ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଚଳିତ ବର୍ଷ କେଜି ପ୍ରତି ୭୦ରୁ ୮୦ଟଙ୍କା ଦରରେ ଦଲାଲମାନେ ପଡ଼ୋଶୀ ଜିଲାରୁ ଆସି ମାଗୁଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ସରକାର ଅଞ୍ଚଳରେ ଏକ ମଣ୍ଡି ସ୍ଥାପନ ସହ ବିକ୍ରି ବ୍ୟବସ୍ଥା କଲେ ଚାଷୀ ଭଲ ଦୁଇ ପଇସା ପାଇପାରିବେ ବୋଲି ପର୍ଲାର ଚାଷୀ ପରମେଶ୍ୱର ପଟେଲ ଓ ଖଳିଗଡ଼ର ଚାଷୀ ଜୟନ୍ତୀ ମାଝି ପ୍ରକାଶ କରିଛନ୍ତି।

Share