ନିଜ ସର୍ଭିସ ବନ୍ଧୁକରୁ ସାଥୀ ଯବାନଙ୍କ ଉପରେ ଗୁଳି ଚଳାଇଲେ ଯବାନ: ୪ ମୃତ, ୩ ଗୁରୁତର

ମାଲକାନଗିରି,୮ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ସୁକୁମା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସିଆରପିଏଫ୍‌ ଯବାନ ନିଜ ସର୍ଭିସ୍‌ ବନ୍ଧୁକରେ ସାଥୀ ଯବାନମାନଙ୍କ ଉପରେ ଗୁଳି ବର୍ଷାଇଥିଲେ। ଫଳରେ ୪ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ସୁକୁମା ଜିଲା ମରାୟିଗୁଡ଼ାଥାନା ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଲିଙ୍ଗମପାଲ୍ଲୀ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ରବିବାର ବିଳମ୍ବିତ ରାତିରେ କୌଣସି କାରଣରୁ ରିତିଶ ରଞ୍ଜନ ନାମକ ଯବାନ ତାଙ୍କ ସାଥୀ ଯବାନମାନଙ୍କ ଉପରେ ଗୁଳି ଚଳାଇଥିଲେ। ଫଳରେ ୪ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତିା ଏହି ଗୁରୁତରମାନଙ୍କୁ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କଲାପରେ ପରିସ୍ଥିତି ସଙ୍କଟାପନ୍ନ ଥିବାରୁ ହେଲିକପ୍ଟର ଯୋଗେ ଏହି ତିନି ଜଣଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ତେବେ ମୃତ ଯବାନମାନେ ହେଲେ ଧନଜୀ, ରାଜୀବ ମଣ୍ଡଳ, ରାଜମଣୀ କୁମାର ୟାଦବ ଓ ଧର୍ମେନ୍ଦ୍ର କୁମାର। ସେହିପରି ଗୁରୁତରମାନେ ହେଲେ ଧନୟ ସିଂ, ଧର୍ମାତ୍ମା କୁମାର, ମଳୟ ରଞ୍ଜନ ମହାରଣା ବୋଲି ମରିୟାଗୁଡ଼ା ଥାନାଧିକାରୀ ସତ୍ୟବାଦୀ ସାହୁ ସୁଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଯବାନ ଜଣଙ୍କ ସାଥୀ ଯବାନମାନଙ୍କ ଉପରେ ଗୁଳି ଚଳାଇଲେ ସେ ସମ୍ପର୍କରେ ଜଣାପଡ଼ିନାହିଁ।

Share