ଶଳାଙ୍କୁ ଗୁଳି କରି ହତ୍ୟା କଲେ ଭିଣୋଇ

ପାରଳାଖେମୁଣ୍ଡି,୧୬ା୬(ଗିରିଧାରୀ ପରିଚ୍ଛା): ଶଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗାଁରେ। ମୃତକ ଶଳା ହେଲେ କୈଳାସ ନାୟକ।
ରବିବାର ସକାଳୁ ଏ ବିଷୟରେ ଜଣାପଡ଼ିଛି। ଶିକାର କରିବାକୁ ଯାଇ ଭିଣୋଇଙ୍କ ବନ୍ଧୁକ ଗୁଳିରେ ଶଳା ଟଳିପଡ଼ିଥିବା ଜାଣିବାକୁ ମିଳିଛି।

ସୂଚନାନୁଯାୟୀ, ଉଦୟ ନାୟକ, କୈଳାସ ନାୟକ ଓ ଗ୍ରାମର କିଛି ଯୁବକ ଶନିବାର ଶିକାର କରିବା ପାଇଁ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ହଠାତ ସନ୍ଧ୍ୟାରେ ଗୁଳି ଶବ୍ଦ ଶୁଭିଥିଲା। ହେଲେ ଶିକାର ହୋଇ ନ ଥିଲେ କୌଣସି ପଶୁ କିମ୍ବା ପକ୍ଷୀ। ଭିଣୋଇ ଉଦୟଙ୍କ ଗୁଳିରେ ଟଳିପଡ଼ିଥିଲେ କୈଳାସ। ଗ୍ରାମର ଲୋକମାନେ ଗ୍ରାମ ପାଖ ଜଙ୍ଗଲରେ ପହଞ୍ଚି ଉକ୍ତ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦୟଙ୍କୁ ଗିରଫ କରିବା ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ମୃତ କୈଳାସଙ୍କ ସ୍ତ୍ରୀ କହିଛନ୍ତି, କୈଳାସ ଓ ଉଦୟଙ୍କର ଆଗରୁ ଶତ୍ରୁତା ଥିଲା। ତେଣୁ ସେ ଜାଣି କି ଏପରି ଘଟଣା ଘଟାଇଥିବା କହିଛନ୍ତି କୈଳାସଙ୍କ ସ୍ତ୍ରୀ। ଏ ନେଇ ଏସ୍‌ଡିପିଓ ଅଶ୍ୱିନୀ ନାୟକ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ଦୁଇଜଣ ଶିକାରକୁ ଯାଇଥିଲେ କିନ୍ତୁ ଭିଣୋଇ ଉଦୟ ଶିକାର କରିବା ସମୟରେ କୈଳାସଙ୍କଠାରେ ଗୁଳି ବାଜିଯାଇଛି। ଯାହାଦ୍ୱାରା ଘଟଣାସ୍ଥଳରେ କୈଳାସଙ୍କ ମୃତ୍ୟୁ ଘଟିଛି। ଏ ନେଇ ମୋହନା ଥାନାରେ କେସ୍‌ ନଂ ୧୧୯/୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Share