Categories: ଜାତୀୟ

ପ୍ରେମ ବିବାହ କରିବାରୁ ମିଳିଲା ଏମିତି ଦଣ୍ଡ

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡର ଉଧମ ସିଂ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ନବ ବିବାହିତ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଦିନ ପୂର୍ବରୁ ପୁଅ ଏବଂ ଝିଅ ଘରୁ ପଳାଇ ପ୍ରେମ ବିବାହ କରିଥିଲେ। ଯୁବତୀଙ୍କ ବାପା ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏସପି ରାଜେଶ ଭଟ୍ଟ ଏକ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାଜେଶ ଭଟ୍ଟ କହିଛନ୍ତି ଯେ, ରସିଦ ସିଦ୍ଦ (୨୨) ନାମକ ଜଣେ ଯୁବକ ତିନି ମାସ ପୂର୍ବରୁ ନାଜିଆ ଖାନ (୧୮) ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କକୁ ନେଇ ମହିଳାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। କୁହାଯାଉଛି ଯେ ବିବାହ ପରେ ଯୁବତୀଙ୍କ ବାପା ଝିଅ ଏବଂ ଜ୍ୱାଇଁଙ୍କୁ କଥା ହେବା ପାଇଁ ଘରକୁ ଡାକିଥିଲେ। ସେମାନେ ଆସିବାରୁ ସୋମବାର ରାତି ପ୍ରାୟ ୯ଟା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମହିଳାଙ୍କ ପିତାଙ୍କ ନାଁରେ ହତ୍ୟା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Share