ଆନ୍ଦୋଳନକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ

ଆଲମାଟି,୮।୧: ଗ୍ୟାସ୍‌ ଦର ବୃଦ୍ଧିକୁ ବିରୋଧ କରି କାଜାଖସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ସରକାର ଏଲ୍‌ପିଜି ଦର ଦ୍ୱିଗୁଣିତ କରିବା ପରେ ସାଧାରଣ ଜନତା ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ପରିସ୍ଥିତି ଏଭଳି ଯେ, ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ସୈନ୍ୟବାହିନୀକୁ ଗୁଳି କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି କାଜାଖସ୍ତାନ ରାଷ୍ଟ୍ରପତି କାସ୍ୟାମ ଜୋମାର୍ଟ ତୋକାୟେଭ୍‌।

ଅଧିକ ବିଶୃଙ୍ଖଳା ସୃଷ୍ଟି ହେଲେ କୌଣସି ସୂଚନା ନ ଦେଇ ଗୁଳି କରିବାକୁ ନିର୍ଦ୍ଦେଶ ଦେଉଛି।
୨୦ ହଜାର ଦସ୍ୟୁ ଦେଶର ସର୍ବବୃହତ୍‌ ସହର ଆଲ୍‌ମାଟି ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଦେଶର ସମ୍ପତ୍ତି ନଷ୍ଟ କରିବା ସହ ସାଧାରଣ ନାଗରିକଙ୍କ ବିରୋଧରେ ଅସ୍ତ୍ର ଉଠାଉଛନ୍ତି। ସେଥିପାଇଁ ସେମାନଙ୍କୁ ଗୁଳି କରିଦେବାକୁ ନିର୍ଦ୍ଦେଶ ଦେଇଛି ବୋଲି ରାଷ୍ଟ୍ରପତି ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି। ୨୬ ସଶସ୍ତ୍ର ଅପରାଧୀ ନିହତ ହେବା ସହ ଅନ୍ୟ ୧୮ ଜଣ ଆହତ ହୋଇଥିବା କାଜାଖସ୍ତାନ ଗୃହମନ୍ତ୍ରୀ ଏକ ବିବୃତିରେ କହିଛନ୍ତି। ୩,୦୦୦ ବିକ୍ଷୋଭକାରୀଙ୍କୁ ଗିରଫ କରାଗଲାଣି। ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୭୦ ଚେକ୍‌ପଏଣ୍ଟରେ ସୁରକ୍ଷା ବଳ ୨୪ ଘଣ୍ଟା ଜଗି ରହିଛନ୍ତି।

Share