ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ, ୨୨ା୭(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତିରେ ବିଶୃଙ୍ଖଳା ନେଇ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ଆଇନ-୨୦ ଓ ୩୦ ଧାରା ଅନୁଯାୟୀ ଏହି ନୋଟିସ ଜାରି ହୋଇଛି। ୪ ଦିନ ମଧ୍ୟରେ ଏ ସଂକ୍ରାନ୍ତ ଉତ୍ତର ରଖିବାକୁ କୁହାଯାଇଛି।
ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଅନୁଯାୟୀ, ପ୍ରତ୍ୟେକ ଗୁରୁବାର ବନକଲାଗି କରିବାକୁ ସମ୍ପୃକ୍ତ ସେବାୟତ ଦତ୍ତମହାପାତ୍ରମାନେ ଅଡ଼ି ବସିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ଭଳି ବୁଧବାର ଏହି ନୀତି କରିବା ସପକ୍ଷରେ ରହିଛି। ତେଣୁ ବିବାଦ ସୃଷ୍ଟି ହୋଇଛି। ବନକଲାଗି ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦତ୍ତମହାପାତ୍ର ନିଯୋଗର ସଭାପତି, ସମ୍ପାଦକ, ଦଇତାପତି ନିଯୋଗର ବାଡ଼ଗ୍ରାହୀ, ବରିଷ୍ଠ ଦଇତାପତି ସେବକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ବୁଧବାର ବନକଲାଗି କରିବା ପାଇଁ ଏହି ବୈଠକରେ ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ସେବକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେମାନେ ତାହା କରି ନ ଥିଲେ। ଗୁରୁବାର ଏଥିଲାଗି ସେମାନେ ପ୍ରସ୍ତୁତ ଥିବା ବେଳେ ପ୍ରଶାସନ ସମୟ ଦେଇ ନ ଥିଲା। ଫଳରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା।
ସୂଚନାଯୋଗ୍ୟ, ୨୦୧୮ ପରିଚାଳନା କମିଟି ବୈଠକରେ ପ୍ରତି ବୁଧବାର ବନକଲାଗି କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଫଳରେ ଗତ ୬ବର୍ଷ ଧରି ପ୍ରତ୍ୟେକ ବୁଧବାର ବନକଲାଗି ନୀତି ହୋଇଆସୁଛି। ତେବେ ବର୍ତ୍ତମାନ ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଅନୁଯାୟୀ ପ୍ରତ୍ୟେକ ଗୁରୁବାର ବନକଲାଗି ନୀତି କରିବା ପାଇଁ ଜିଦ୍‌ ଧରୁଛି ନିଯୋଗ। ଫଳରେ ନୀଳାଦ୍ରିବିଜେ ପରଠାରୁ ଏଯାବତ ବନକଲାଗି ନୀତି ସମ୍ପନ୍ନ ହୋଇପାରିନାହିଁ। ଏ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ନୋଟିସ ସମ୍ପର୍କରେ ଦତ୍ତମହାପାତ୍ର ନିଯୋଗ ସମ୍ପାଦକ ମଦନମୋହନ ଦତ୍ତମହାପାତ୍ର କହିଛନ୍ତି, ବୁଧବାର ତାଙ୍କ ନିକଟରେ ସେବାୟତମାନେ ନ ଥିବାରୁ ବନକଲାଗି ନୀତି ହୋଇପାରି ନ ଥିଲା। ତେବେ ରେକର୍ଡ ଅଫ୍‌ ରାଇଟ୍ସ ଅନୁସାରେ ଗୁରୁବାର ବନକଲାଗି ନୀତି ହେବାର ପ୍ରାବଧାନ ରହିଛି। ଏହାପରେ ଏକାନ୍ତ ନୀତି ହେବା କଥା। ମାତ୍ର ବିନା ବନକଲାଗିରେ ଏକାନ୍ତ ନୀତି କରାଗଲା। ଏଣିକି ପ୍ରତ୍ୟେକ ଗୁରୁବାର ବନକଲାଗି କରାଯିବା ପାଇଁ ଆମେ କହିବୁ। ସେହିପରି ନିଯୋଗରେ ଆଲୋଚନା କରାଯାଇ ଚିଠିର ଜବାବ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଦତ୍ତମହାପାତ୍ର ସେବକ ସଞ୍ଜୟ ଦତ୍ତମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଠାଯାଇଥିବା ନୋଟିସ୍‌ର ଜବାବ ଶନିବାର ଦିଆଯିବ। ଏଣିକି ପ୍ରତ୍ୟେକ ଗୁରୁବାର ପ୍ରଥମ ବନକଲାଗି କରାଯାଉ। ନଚେତ ଆଇନର ଆଶ୍ରୟ ନିଆଯିବ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।

Share