ଛତ୍ରପୁର,୨୬।୫(ଡି.ଏନ.ଏ.) ଗଞ୍ଜାମ ଜିଲାରେ ସ୍କୁଲ ସକାଳୁଆ ଚାଲିଛି। ବିଭିନ୍ନ ସମୟରେ ବିଭିନ୍ନ ସ୍କୁଲରେ ଶିକ୍ଷକମାନେ ବିନା ଅନୁମତିରେ ଅନୁପସ୍ଥିତ ରହୁଛନ୍ତି। ଏଥିସହ କେତେକ ଶିକ୍ଷକ ବିଳମ୍ବରେ ସ୍କୁଲ ଆସୁଥିବା ଦେଖିବାକୁ ମିଳୁଛି ା ସକାଳ ୬ ଟାରେ ସ୍କୁଲ ଆସିବା ନିୟମ ଥିଲେ ମଧ୍ୟ ଏହାକୁ ଶିକ୍ଷକ ମାନେ ମାନୁ ନାହାନ୍ତି। ଅନୁପସ୍ଥିତ ରହିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି ସହ ଦିନକର ଦରମା ବନ୍ଦ କରାଯାଉଛି। ଭଞ୍ଜନଗର ବ୍ଲକର ୬ ଜଣ ସହକାରୀ ଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏଥିସହ ଏମାନଙ୍କ ମଧ୍ୟରୁ ୫ ଜଣ ଶିକ୍ଷକଙ୍କ ଦିନକର ଦରମା ମଧ୍ୟ ବନ୍ଦ କରାଯାଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଗଞ୍ଜାମ ଜିଲା ଶିକ୍ଷାଅଧିକାରୀଙ୍କୁ ଅବଗତ କରାଯାଇଛି ା ନୋଟିସ୍ ଜାରି ହୋଇଥିବା ଶିକ୍ଷକମାନଙ୍କ ମଧ୍ୟରେ ମୁଜାଗଡ ହାଟସାହିର ସହକାରୀ ଶିକ୍ଷୟିତ୍ରୀ ସ୍ବାଗତ ସ୍ବାଗତିକା ପ୍ରଧାନ, ଗୋହିରିବାଡି ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷକ ଝୁନୁ ମଲ୍ଲିକ, ସୋନିତା କୁମାରୀ ଗୌଡ, ସନ୍ତୋଷ କୁମାର ସେନାପତି, ବାଇବାଲି ୟୁଜିଏଚ୍ଏସ୍ ସହକାରୀ ଶିକ୍ଷକ ବବିତା କୁମାରୀ ସ୍ବାଇଁ ଓ ପୂର୍ଣ୍ଣ ଚନ୍ଦ୍ର ବେହେରା। ୭ ଦିନ ମଧ୍ୟରେ ଉକ୍ତ ନୋଟିସ୍ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ପରିଦର୍ଶନ ବେଳେ ୫ ଜଣ ଅନୁପସ୍ଥିତ ଥିବାବେଳେ ଜଣେ ଶିକ୍ଷକ ବିଳମ୍ବରେ ୭.୪୦ରେ ସ୍କୁଲକୁ ଆସିଥିଲେ। ଏହା କାର୍ଯ୍ୟରେ ଅବହେଳା ଦର୍ଶାଉଥିବା ଉକ୍ତ ନୋଟିସ୍ରେ ଉଲ୍ଲେଖ ହୋଇଛି।