ସ୍ବସ୍ତିକ ଷ୍ଟିଭେଡର୍ସ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ

ପାରାଦୀପ,୭।୮(ସ୍ବ.ପ୍ର.): ପାରାଦୀପ ବନ୍ଦରର ପ୍ରଶାସନିକସ୍ତରରେ ଲାଞ୍ଚ କାରବାର ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୩ ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ୬ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ବନ୍ଦର ଚିଫ୍‌ ମେକାନିକାଲ ଇଞ୍ଜିନିୟର(ସିଏମ୍‌ଇ) ସରୋଜ ଦାସ, ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର ପ୍ରମୁଖ ଅଛନ୍ତି। ଏହି ଘଟଣା ଚର୍ଚ୍ଚାରେ ଥିବାବେଳେ ଆଉ ଏକ ଷ୍ଟିଭେଡର୍ସ ସଂସ୍ଥାକୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ବନ୍ଦର କର୍ତ୍ତୃପକ୍ଷ। ଗୁରୁବାର ବନ୍ଦର ଅଧ୍ୟକ୍ଷ ପି. ଏଲ୍‌. ହାରାନ୍ଧ ସ୍ବସ୍ତିକ ଷ୍ଟିଭେଡର୍ସ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀକୁ ଏହି ନୋଟିସ (ଟିଡି/ଡିଟିଏମ/ଏଲ ୮୦/୨୦୨୧-୧୫୦୦/୦୩-୦୮-୨୦୨୨) ପଠାଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଗତ ଏପ୍ରିଲ ୨୫ ରାତି ୧୨.୩୦ରେ ସ୍ବସ୍ତିକ ଷ୍ଟିଭେଡର୍ସ ସୁପରଭାଇଜର ତ୍ରିନାଥ ଚୌଧୁରୀ ଦୁଇଟି ଟ୍ରକ ଜରିଆରେ ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ ପ୍ଲଟ୍‌ (ଆର୍‌ଆର୍‌ଏସ୍‌୦୫)ରୁ କୁକିଂ କୋଲ୍‌ ବୋଝେଇ କରି ଅନ୍ୟ ଏକ ପ୍ଲଟରେ ରଖୁଥିଲେ। ଟ୍ରକ୍‌ ନଂ. ଓଡି୨୯ଇ ୮୬୭୨ ଓ ଓଡି୨୯ଇ୮୬୫୫ ଚାଳକ ସୁକାନ୍ତ କୁମାର ସେଠୀଙ୍କୁ ଟ୍ରାଫିକ କର୍ମଚାରୀ ପଚାରିବାରୁ ସେ ଚୋରି କରୁଥିବା ସ୍ବୀକାର କରିଥିଲେ। ଏ ନେଇ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟଙ୍କୁ ଅବଗତ କରାଯାଇଥିଲା। ସିଆଇଏସ୍‌ଏଫ୍‌ ଏବଂ ଟ୍ରାଫିକ ରିପୋର୍ଟ ଆଧାରରେ ସେହି ଚୋରି ପ୍ରମାଣିତ ହୋଇଛି। ଇଣ୍ଡୋ ଜର୍ମାନ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍‌ ନାଁରେ ଚାଲାଣ କରି ଭୂଷଣ ପାୱାରର କୋଇଲା ହେରଫେର ହୋଇଛି। ଏଭଳି ଚଞ୍ଚକତା ସମ୍ପର୍କରେ ନୋଟିସ ପାଇବାର ୧୦ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ କୁହାଯାଇଛି। ଅନ୍ୟଥା ଷ୍ଟିଭେଡର୍ସ ଲାଇସେନ୍ସ ଓ ଶୋର ହ୍ୟାଣ୍ଡଲିଂ ଆଇନ ୨୦୨୧ ଧାରା ୧୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଥାଉ କି, ଗତବର୍ଷ ନଭେମ୍ବରରେ ଏଭଳି କୋଇଲା ଚୋରି ଅଭିଯୋଗ ପାରାଦୀପ ଆଦର୍ଶ ଥାନାରେ ହୋଇଥିଲା। ସେତେବେଳେ ୨୮ ଟ୍ରକରେ କୁକିଂ କୋଲ୍‌ ବୋଝେଇ ହେବାବେଳେ ଧରା ପଡ଼ିଥିଲା। ଉକ୍ତ ଘଟଣାରେ ଦୁଇଟି ଷ୍ଟିଭେଡର୍ସ ସଂସ୍ଥା (ଇନ୍‌ମେସିନାରି ଓ ତ୍ରିଶକ୍ତି)କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କଳା ତାଲିକାଭୁକ୍ତ କରିଥିଲେ।