Categories: ଖେଳ

ଶ୍ରଦ୍ଧାଞ୍ଜଳି ଜାତୀୟ ଫୁଟ୍‌ବଲ ଚୟନକର୍ତ୍ତା

ଭୁବନେଶ୍ୱର, ୫ା୫ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଓ କୋଚ୍‌ କିମ୍ବଦନ୍ତୀ ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଉପରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପୁଣି ଆସ୍ଥା ପ୍ରକଟ କରିଛି। ତାଙ୍କୁ ମହିଳା ଜାତୀୟ ଫୁଟ୍‌ବଲ ଦଳର ଚୟନକର୍ତ୍ତା ଭାବେ ନିଯୁକ୍ତି ଦେଇଛି। ଗୁଜରାଟର ଅହମଦାବାଦରେ ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଗତ ଏପ୍ରିଲ ୩୦ରୁ ଆରମ୍ଭ ହୋଇଛି। ଏହା ମେ ୨୧ ପର୍ଯ୍ୟନ୍ତ ଚାଲିବ। ଏଥିରୁ ପ୍ରଦର୍ଶନ ଭିତ୍ତିରେ ଜାତୀୟ ଦଳ ପାଇଁ ଯୋଗ୍ୟ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଚୟନ କରିବେ। ସୂଚନାଯୋଗ୍ୟ, ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଓଡ଼ିଶାର ଏହି ପୂର୍ବତନ ଖେଳାଳି ଦଶନ୍ଧି ହେଲା ଭାରତୀୟ ଦଳର ବିଭିନ୍ନ ବର୍ଗ ପାଇଁ ପ୍ରଶିକ୍ଷକ ଓ ଚୟନକର୍ତ୍ତା ଭାବେ ସଫଳତାର ସହ ତୁଲାଇ ଆସୁଛନ୍ତି। ଏହି ଦାୟିତ୍ୱ ମିଳିବା ପରେ ଶ୍ରଦ୍ଧାଞ୍ଜଳି ଏଆଇଏଫ୍‌ଏଫ, ଫାଓ (ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା) ଏବଂ ତାଙ୍କ ନିଯୁକ୍ତିଦାତା ନାଲକୋ କର୍ତ୍ତୃପକ୍ଷଙ୍କ ପ୍ରତି ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ତାଙ୍କୁ ଉତ୍ସାହିତ କରିଥିବା ସେ କହିଛନ୍ତି।

Share