Categories: ଖେଳ

ଶ୍ରାବଣୀ, ଅମିୟ ଦ୍ରୁତତମ

ଭୁବନେଶ୍ୱର, ୧୭।୫ (କ୍ରୀଡ଼ା ପ୍ରତିନିଧି): ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଚାଲିଥିବା ୨୬ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରାବଣୀ ନନ୍ଦ ଓ ଅମିୟ ମଲିକ ଯଥାକ୍ରମେ ଦ୍ରୁତତମ ଧାବିକା ଓ ଧାବକ ବିବେଚିତ ହୋଇଛନ୍ତି। ଅଲିମ୍ପିଆନ୍‌ ତଥା ତାରକା ଆଥଲେଟ୍‌ ଶ୍ରାବଣୀ ମଙ୍ଗଳବାର ଅନୁଷ୍ଠିତ ମହିଳା ୧୦୦ ମିଟର ଇଭେଣ୍ଟରେ ୧୧.୫୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାମିଲନାଡ଼ୁର ଅର୍ଚନା ସୁସେନ୍ଦ୍ରନ (୧୧.୬୬) ରୌପ୍ୟ ଓ କର୍ନାଟକର ଧନେଶ୍ୱରୀ ଏ.ଟି. (୧୧.୬୯) ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ପୁରୁଷ ୧୦୦ ମିଟରକୁ ତାରକା ଆଥଲେଟ୍‌ ଅମିୟ ୧୦.୩୧ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ତାମିଲନାଡ଼ୁର ଇଲାକ୍କିୟାଡସନ କେ. ୧୦.୩୭ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ପାଇଥିତ୍ବାବେଳେ ଓଡ଼ିଶାର ଡି.ଏମ. ଜୟରାମ ୧୦.୪୦ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶା ହାଇଜମ୍ପର ସ୍ବାଧୀନ କୁମାର ମାଝି ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ୨.୧୧ ମିଟର ଡେଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହାରାଷ୍ଟ୍ରର ଅନିଲ କୁଶାରେ (୨.୨୨) ସ୍ବର୍ଣ୍ଣ ଏବଂ କର୍ନାଟକର ଜେସେ ସନ୍ଦେଶ (୨.୧୮ ମିଟର) ରୌପ୍ୟ ପଦକ ପାଇଛନ୍ତି। ୪ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତା ୧୮ ତାରିଖରେ ଶେଷ ହେବ। ଏହା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଟ୍ରାଏଲ୍‌ଭାବେ ବିବେଚିତ ହେଉଛି। ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଚଳିତବର୍ଷ ଜୁଲାଇ ୧୨ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Share