ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ ଅଫିସ,୧୭ା୪: ସୋମବାର ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ସନ୍ଧ୍ୟା ୬ରୁ ରାତି ୧୦ ଯାଏ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ। ଦ୍ୱିତୀୟ ଭୋଗ ପରେ ପଇତା ଲାଗି ନୀତି ଯୋଗୁ ଦର୍ଶନ ବନ୍ଦ ରହିବବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ଓ ମଇଲମ ପରେ ଲକ୍ଷ୍ମୀ ଏବଂ ସରସ୍ବତୀ ଖଟଶେଯ ଘରକୁ ବିଜେ କରିବେ। ଏହି ସମୟରେ ଜୟବିଜୟ ଦ୍ୱାର ବନ୍ଦ ରହିବ। ପଇତାଲାଗି ନୀତି ନିମନ୍ତେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବେ। ପାଟଡୋରିରେ ନିର୍ମିତ ଜାଲିଯୁକ୍ତ ବସ୍ତ୍ରକୁ ମହାପ୍ରଭୁଙ୍କୁ ଲାଗି କରାଯିବ, ଯାହାକୁ ପଇତାଲାଗି ବୋଲି କୁହାଯାଏ। ପରମ୍ପରା ଅନୁଯାୟୀ, ପାଟରା ସେବାୟତମାନେ ପ୍ରସ୍ତୁତ କରିଥିବା ପଇତାକୁ ରବିବାର ଦେଉଳକରଣଙ୍କୁ ହସ୍ତାନ୍ତର କରିଛନ୍ତି। ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଅନୁଯାୟୀ, ବର୍ଷକରେ ଦୁଇଥର ଅର୍ଥାତ୍‌ ଚନ୍ଦନଯାତ୍ରା ଓ ଘୋଡ଼ଲାଗି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରିଥାନ୍ତି। ସେହିପରି ପଇତା ବସ୍ତ୍ରକୁ ପାଟରା ସେବାୟତମାନେ ପ୍ରସ୍ତୁତ କରିବା ପରେ ଦେଉଳକରଣଙ୍କୁ ହସ୍ତାନ୍ତର କରିଥାନ୍ତି।

Share