ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୨ା୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାରଠାରୁ ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିର ଖୋଲିବ। କୋଭିଡ୍‌ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ।

ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ଏବଂ ଦୁଇଟି ଡୋଜ୍‌ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଦର୍ଶନ କରିବାକୁ ଯାଇପାରିବେ ଶ୍ରଦ୍ଧାଳୁ। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ୍‌ ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୋଲିସ ଫୋର୍ସ ମୁତୟନ ରହିବେ।

ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି। ତେବେ ପୂର୍ବରୁ ପୁରୀ ଜିଲାବାସୀଙ୍କୁ ଦର୍ଶନର ସୁଯୋଗ ରହିଥିଲା।

Share