Categories: ଖେଳ

ଶ୍ରୀଲଙ୍କା ଆଗରେ ୩୫୮ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ଭାରତ

ମୁମ୍ବାଇ,୨।୧୦: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ କୁଶଲ ମେଣ୍ଡିସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୫୭ ରନ କରିଛି। ଫଳରେ ଶ୍ରୀଲଙ୍କା ଆଗରେ ୩୫୮ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ଭାରତ।

ଅଧିନାୟକ ରୋହିତ ଶର୍ମା ୨ଟି ବଲ ଖେଳି ୪ ରନ କରି ଆଉଟ ହୋଇଯାଇଥିଲେ। ଫଳରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ପରେ ବିରାଟ କୋହଲି ଏବଂ ଶୁବମନ୍‌ ଗିଲ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳି ଶତକୀୟ ଭାଗୀଦାରି କରିଥିଲେ। ବିରାଟ ୯୪ ବଲରେ ୧୧ ଚଉକା ସହାୟତାରେ ୮୮ ରନ୍‌ କରିଥିବା ବେଳେ ଶୁବମନ୍‌ ୯୨ ବଲରେ ୧୧ ଚଉକା ଏବଂ ୨ ଛକା ସହାୟତାରେ ୯୨ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ଶ୍ରେୟସ ଆୟର ୫୬ ବଲ୍‌ରେ ୩ ଚଉକା ଏବଂ ୬ ଛକା ସହାୟତାରେ ୮୨ ରନ୍‌ର ଦମ୍‌ଦାର ଇନିଂସ୍‌ ଖେଳିଥିଲେ।

ସେହିପରି କେ.ଏଲ୍‌. ରାହୁଲ ୨୧ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୧୨ ରନ କରିଥିଲେ। ଶେଷ ବେଳକୁ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ୨୪ଟି ବଲ ଖେଳି ଗୋଟିଏ ଚଉକା ଏବଂ ଗୋଟିଏ ଛକା ସହାୟତାରେ ୩୫ ରନ୍‌ କରିଥିଲେ। ମହମ୍ମଦ ସାମି ୨ ରନ କରିଥିବା ବେଳେ ଯଶପ୍ରୀତ ବୁମରା ୧ ରନ କରି ଅପରାଜିତ ରହିଥିଲେ। ଫଳରେ ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୩୫୭ ରନ କରିବାରେ ସକ୍ଷମ ହୋଇଥିଲା। ଶ୍ରୀଲଙ୍କାର ଦିଲସାନ ମଧୁଶଙ୍କା ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ଦୁଷ୍ମନ୍ତ ଚାମିରାଙ୍କୁ ଗୋଟିଏ ଉଇକେଟ ମିଳିଥିଲା।

Share