Categories: ଖେଳ

ଶ୍ରେୟସ ଆୟର-କେ.ଏଲ ରାହୁଲ ଏସିଆ କପ ଖେଳିବା ନେଇ ଆଶଙ୍କା…

କୋଲକାତା,୩।୮ : ଏସିଆ କପ ୨୦୨୩ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଆଇସିସି ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେପ୍ଟେମ୍ବର ୩୦ରୁ ଏସିଆ କପ ଆରମ୍ଭ ହେବ ଏବଂ ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯିବ। ଟୁର୍ନାମେଣ୍ଟ ପୂର୍ବରୁ ସୂଚନା ମିଳିଛି ଆଘାତ ଯୋଗୁ ଦୁଇ ଜଣ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ନ ହୋଇପାରେ।

 

ଏସିଆ କପ ଆରମ୍ଭ ପାଇଁ ଅଧିକ ସମୟ ବାକି ନାହିଁ, କିନ୍ତୁ ଭାରତୀୟ ଦଳର ଆହତ ଖେଳାଳିଙ୍କ ଚିନ୍ତା ଶେଷ ହେଉନାହିଁ। ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ଆୟର୍ଲାଣ୍ଡ ଟି-୨୦ ସିରିଜ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ ବିଷୟରେ ପ୍ରଶ୍ନ ଉଠିଛି। ଉଭୟ ଏସିଆ କପରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଏକ ରିପୋର୍ଟ ଅନୁଯାୟୀ ଉଭୟ ଟୁର୍ନାମେଣ୍ଟରୁ ବାଦ ପଡିପାରନ୍ତି।

ରିପୋର୍ଟ ଅନୁଯାୟୀ, କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ଏସିଆ କପ ପର୍ଯ୍ୟନ୍ତ ଫିଟ ହୋଇପାରିବେ ନାହିଁ। ଏହି କାରଣରୁ ଉଭୟ ଖେଳାଳି ଟୁର୍ନାମେଣ୍ଟ ପାଇଁ ଚୟନ ହୋଇପାରିବେ ନାହିଁ। ଉଲ୍ଲେଖଥାଉ କି, କେ.ଏଲ ରାହୁଲଙ୍କର ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ୱିକେଟ କିପିଂ କରୁଥିବା ଦେଖିବାକୁ ମିଳିଛି କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ସକ୍ରିୟ କ୍ରିକେଟ ଫେରିବାକୁ ଅଧିକ ସମୟ ଲାଗିବ। ଏଥି ସହିତ, ଶ୍ରେୟସ ମଧ୍ୟ ଆହତ ହେବା ପରେ ଫିଟନେସ ଫେରି ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି ।

ତେବେ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୩୦ ରୁ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏସିଆ କପ ପାଇଁ ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲ ସମ୍ପୂର୍ଣ୍ଣ ଫିଟ ହେବେ ନାହିଁ। ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ ପରଠାରୁ ଆୟର୍‌ ଦଳ ବାହାରେ ରହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ସମୟରେ କେ.ଏଲ ଆହତ ହୋଇଥିଲେ ।

Share