କଟକ ଅଫିସ,୮।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଧିରେଧିରେ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରକଳ୍ପର ବୈଧତା ଉପରେ ପ୍ରଶ୍ନ ଉଠିବା ପରେ ଶୁକ୍ରବାର ଏହାକୁ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି। ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସ୍ଆଇକୁ ହାଇକୋର୍ଟ ଜବାବ ମାଗିଛନ୍ତି। ତେବେ ଏପ୍ରିଲ ୧୭ ମଧ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କ’ଣ ନିର୍ମାଣ ହେଉଛି, ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ରହିଛି ନା ନାହିଁ ଓ ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ ଆଦି ୩ ଟି ପ୍ରସଙ୍ଗ ଉପରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବେଆଇନ କାର୍ଯ୍ୟ ହେଉଥିବା ନେଇ ପ୍ରଥମେ ସାମାଜିକ କର୍ମୀମାନେ ଦାବି କରିଥିବାବେଳେ ଅନେକ ନେତା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଧାନସଭା ସହ ସଂସଦରେ ଏହି ପ୍ରସଙ୍ଗ ଉଠିସାରିଛି। ଏନେଇ ବିଧାନସଭାରେ ଗୃହ କମିଟି ମଧ୍ୟ ଗଠନ କରାଯାଇଛି ।