ମୁଁ ଦୁଇ କୁଳକୁ ହିତା: ଶ୍ରୀମୟୀ

ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡିରୁ ଆଶାୟୀ ଶ୍ରୀମୟୀ ମିଶ୍ର ଗୁରୁବାର ଖୋର୍ଦ୍ଧାରେ ବାଇକ୍‌ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶୋଭାଯାତ୍ରା ମୁକୁନ୍ଦପ୍ରସାଦ ମେଳଣ ପଡ଼ିଆଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ପର୍ଯ୍ୟବେକ୍ଷକ କୈଳାସ ପାତ୍ର, ସହପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମିଶ୍ର, ଜିଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଦଳୀୟ କର୍ମୀ, ନେତାଙ୍କ ସମେତ ବହୁ ମହିଳା ଶୋଭାଯାତ୍ରାରେ ସାମିଲ ଥିଲେ। ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ୭ ନମ୍ବର ୱାର୍ଡର କାଉନସିଲର ଅଜିତ ମହାପାତ୍ରଙ୍କ ନେତୃତ୍ୱରେ ଏହା ଆୟୋଜିତ ହୋଇଥିଲା। ଏହି ଅବସରରେ ଶ୍ରୀମୟୀ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସମୃଦ୍ଧି ପଥରେ ଆଗେଇ ଚାଲିଛି। ତେଣୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ନବୀନଙ୍କୁ ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ କରିବା ପାଇଁ ସେ ଲୋକଙ୍କୁ ନିବେଦନ କରିଥିଲେ। ନିକଟରେ ଏକ ଓଡ଼ିଆ ଚଳଚ୍ଚିତ୍ର ରିଲିଜକୁ ନେଇ ପଶ୍ଚିମ ଓଡ଼ିଶା ଏବଂ ପୂର୍ବାଞ୍ଚଳ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ବଲାଙ୍ଗୀରରୁ ଏ ନେଇ ସ୍ବର ଉଠିଥିଲା। ନିର୍ବାଚନରେ ଏହାର ପ୍ରଭାବ ପଡ଼ିପାରେ କି ପ୍ରଶ୍ନର ଉତ୍ତରରେ ଗଣମାଧ୍ୟମକୁ ଶ୍ରୀମୟୀ କହିଛନ୍ତି, ମୁଁ ଦୁହିତା, ଦୁଇକୁଳକୁ ହିତା। ମୋ’ ଘର ବଲାଙ୍ଗୀର, କିନ୍ତୁ ମୁଁ ଭୁବନେଶ୍ୱରରେ ବିବାହ କରିଛି। ମୁଁ ଲୋକଙ୍କ ସହିତ ଥିବାରୁ ସେଭଳି ଚର୍ଚ୍ଚାର କୌଣସି ପ୍ରଭାବ ପଡ଼ିବ ନାହିଁ।

Share