ଗୋପୀଙ୍କୁ ସଙ୍କୁଚିତ, ହେମନ୍ତଙ୍କୁ ପ୍ରୋତ୍ସାହନ

ସମ୍ବଲପୁର,୨୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ବିଜେଡିର ନୂତନ କମିଟି ଗଠନ କରାଯାଇଛି। ରେଢ଼ାଖୋଲ ବିଧାନସଭାର ମାନେଶ୍ୱର ବ୍ଲକ ସଭାପତି ଭାବେ ପୁଣିଥରେ ବରିଷ୍ଠ ନେତା ଗୋପୀରଞ୍ଜନ ବେହେରାଙ୍କୁ ନିଯୁକ୍ତ କରାଯାଇଛି। ଜିଲାର ୯ ଗୋଟି ବ୍ଲକ୍‌ ଓ ମହାନଗର ନିଗମକୁ ଦେଖିଲେ କେବଳ ମାନେଶ୍ୱର ବ୍ଲକରେ କାର୍ଯ୍ୟକାରୀ ସଭାପତି ଭାବେ ହେମନ୍ତ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ନିଯୁକ୍ତି ଦେଇଛନ୍ତି। ଦଳୀୟ କର୍ମୀ ଓ ନେତାମାନେ ଏଭଳି ନିଯୁକ୍ତିର କାରଣ ନେଇ ନିଜ ଭିତରେ ଆଲୋଚନା କରୁଛନ୍ତି। ଜିଲା ସଭାପତି ତଥା ବିଧାୟକ ରୋହିତ ପୂଜାରୀଙ୍କ ଘନିଷ୍ଠ ଥିବା ଓ ପ୍ରାୟ ୪ ପାଳି ଧରି ବ୍ଲକ ସଭାପତି ରହିଥିବା ଗୋପୀରଞ୍ଜନଙ୍କ କ୍ଷମତା ସଙ୍କୁଚିତ ଓ ହେମନ୍ତଙ୍କୁ ପ୍ରୋତ୍ସାହିତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଗୋପୀରଞ୍ଜନ ବହୁବର୍ଷ ଧରି ସଂଗଠନ କାମ କରିଆସିଥିଲେ। ମାନେଶ୍ୱର ବ୍ଲକର ପ୍ରତି ପଞ୍ଚାୟତରେ ସେ ସଂଗଠନ କରିଥିଲେ। ତେଣୁ ଅନ୍ୟ କାରଣ ଯୋଗୁ ହେମନ୍ତଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିବା ଦୀୟ କର୍ମୀମାନେ ଆଲୋଚନା କରୁଛନ୍ତି। ଅନ୍ୟପଟେ ହେମନ୍ତ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିଲେ। ଦଳ ଯାହା ଦାୟିତ୍ୱ ଦେଇଛି ସେ ନିର୍ବାହ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସେ ସକ୍ରିୟ ଭୂମିକା ନେଇ କାମ କରୁଥିଲେ। ଏବେ ନବନିଯୁକ୍ତ ଦୁଇ ନେତା ଦଳୀୟ ସଂଗଠନ ପାଇଁ ମିଶି କାମ କରିବେ ନା ପୁଣି ବିବାଦ ଲାଗିରହିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି।
ଗୋପୀରଞ୍ଜନ କହିଛନ୍ତି, ବିଜୁ ବାବୁଙ୍କ ଅଦର୍ଶରେ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ କାମ କରିଆସୁଛି। ସଂଗଠନ କରିଛି। ଦଳ କଂଗ୍ରେସରୁ ଆସିଥିବା ହେମନ୍ତଙ୍କୁ କାର୍ଯ୍ୟକାରୀ ସଭାପତି କରିଛି। ଏଥିରେ ମୋର ସମସ୍ୟା ନାହିଁ। ହେଲେ ଆମେ ଦୁହେଁ ଗୋଟିଏ ଗ୍ରାମର, ଗୋଟିଏ ଜୋନର। ତେଣୁ ଆମ ଭିତରେ ବ୍ୟକ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ପୂର୍ବଭଳି ଲାଗି ରହିପାରେ। ଏହାକୁ ନେଇ ଜିଲା ସଭାପତିଙ୍କୁ ଅଭିଯୋଗ କରି ପଦକ୍ଷେପ ନେବାକୁ କହିଛି। ସଭାପତି ନ ହେଲେ ମଧ୍ୟ ମୋର ଦୁଃଖ ନାହିଁ, ହେଲେ ସୂଚନା ଦେଇ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିବାର ଥିଲା ବୋଲି କହିଛନ୍ତି। ଅନ୍ୟପଟେ କାର୍ଯ୍ୟକାରୀ ସଭାପତି ହେମନ୍ତ କହିଛନ୍ତି, ଦଳରେ କାମ କରିଆସୁଛି। ସଂଗଠନ କରିବା ମୂଳ ଲକ୍ଷ୍ୟ ରହିଛି। ଦଳ ଦାୟିତ୍ୱ ଦେଇଥିବାରୁ ମୁଁ କାମ କରିବି ବୋଲି ସେ କହିଛନ୍ତି। କେବଳ ମାନେଶ୍ୱର ବ୍ଲକ ନୁହେଁ, ଜିଲାରେ ଅନେକ ବ୍ଲକ ଓ ମହାନଗର ନିଗମରେ ନୂତନ ନିଯୁକ୍ତି ନେଇ ଅସନ୍ତୋଷ ଲାଗିରହିଛି। ହେଲେ ମୁହଁ ଖୋଲିବାକୁ ଭୟ କରୁଛନ୍ତି। ଠିକ୍‌ ସମୟରେ ଏହି ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇ ନ ପାରିଲେ ଆଗାମୀ ନିର୍ବାଚନରେ ପ୍ରଭାବ ପଡିପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Share