ଧରାପୃଷ୍ଠକୁ ଆସୁଛନ୍ତି ମା’: ଶାରଦୀୟ ଦୁର୍ଗାପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ ନମ୍ପର ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟି ତରଫରୁ ମା’ଙ୍କ ଶାରଦୀୟ ପୂଜା ସକାଶେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପଣ୍ଡିତ ରଞ୍ଜନ ମିଶ୍ରଙ୍କ ତତ୍ତାବଧାନରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ରବିବାର ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ସହ ଆଜ୍ଞାମାଳକୁ ବାଦ୍ୟ ବାଜଣା ଶୋଭାଯାତ୍ରା କରାଯାଇ ଅସ୍ଥାୟୀ ପୂଜା ମଣ୍ଡପକୁ ଅଣାଯାଇଥିଲା।

ସେଠାରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ପୂଜା କାର୍ଯ୍ୟ ପରିଚାଳନା ନିମନ୍ତେ ୨୨ ଜଣିଆ ନୂତନ କମିଟି ଗଠନ କରାଯାଇଛି। କମିଟି ମୁଖ୍ୟ ଉପଦେଷ୍ଟା ଭାବେ ନଗର କଂଗ୍ରେସ ସଭାପତି ତଥା ସ୍ଥାନୀୟ କାଉନସିଲର ଦୀପକ କୁମାର ମିଶ୍ର ଏବଂ ପାଣ୍ଡା ଗୌଡ଼ଙ୍କୁ ମନୋନୀତ କରାଯାଇଛି। ସଭାପତି ଭାବେ ଶଙ୍କର ମହାରଣା, ଉପସଭାପତି ପଞ୍ଚାନନ ସ୍ବାଇଁ, ସମ୍ପାଦକ କମଳ ସେଠୀ, ଏ. ସେନେୟା, ସହ ସମ୍ପାଦକ ଶିବ ପ୍ରଧାନ, ଟୁଲୁ ସ୍ବାଇଁ, କୋଷାଧ୍ୟକ୍ଷ ସୁଦିପ ପଲାଇ, ସହ କୋଷାଧ୍ୟକ୍ଷ ଚିଙ୍କୁ ସେଠୀଙ୍କୁ ଚୟନ କରାଯାଇଛି। ଶୁଭଖୁଣ୍ଟି ସ୍ଥାପନ ବେଳେ ପୂଜା କମିଟି ସଦସ୍ୟ ବୃନ୍ଦ ଏବଂ ବହୁ ସଂଖ୍ୟକ ସାହି ବାସିନ୍ଦା ଉପସ୍ଥିତ ଥିଲେ।