କୋଭିଡ-୧୯ରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ବାତ୍ୟା‘ନିଭାର’ ପାଇଁ ହୋଇପାରିଲାନି ଚିକିତ୍ସା

ଭୋପାଳ,୨୬।: ଦେଶରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପ୍ରଚେଷ୍ଟା କଲେ ମଧ୍ୟ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି। କରୋନା ମୁକାବିଲା ପାଇଁ ଏଯାଏଁ କୌଣସି ଔଷଧ ବାହାରି ନ ଥିବା ବେଳେ ଭ୍ୟାକ୍ସିନ ହିଁ ଏକମାତ୍ର ସାହା ଭରଷା। ଇତିମଧ୍ୟରେ ଦେଶରେ ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟପେଟେ ବାତ୍ୟା ‘ନିଭାର’ ଲୋକଙ୍କ ଚିକିତ୍ସାରେ ବାଧକ ସାଜିଛି। କିଛି ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ। ଗତ କିଛି ମାସରୁ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ୨୬ବର୍ଷୀୟ ଡାକ୍ତର ଶୁଭମ ଉପାଧ୍ୟାୟଙ୍କ କୋଭିଡ-୧୯ରେ ପରଲୋକ ଘଟିଛି।

ସୂଚନାଯୋଗ୍ୟ, କରୋନା ଯୋଦ୍ଧା ଡାକ୍ତର ଶୁଭମ ଅକ୍ଟୋବର ୨୮ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ନଭେମ୍ବର ୧୦ରେ ଭୋପାଳର ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା। ତାଙ୍କ ଫୁସଫୁସରେ ୯୦ପ୍ରତିଶତରୁ ଅଧିକ ପାଣି ଭର୍ତ୍ତି ହୋଇଯିବାରୁ ଫୁସ୍‌ଫୁସ୍‌ ପ୍ରତିରୋପଣ ପାଇଁ ତାଙ୍କୁ ଏୟାରଲିଫ୍ଟରେ ଚେନ୍ନାଇ ନିଆଯିବାର ବ୍ୟବସ୍ଥା କରାଯାଉଥିଲା। ହେଲେ ବାତ୍ୟା ‘ନିଭାର’ ଯୋଗୁ ବିମାନ ସେବା ବନ୍ଦ ରହିଥିଲା। ଯେଉଁଥିପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରି ନ ଥିଲା। ଫଳରେ ବୁଧବାର ଚିରାୟୁ ହସ୍ପିଟାଲରେ ଶୁଭମ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସୂଚନା ମୁତାବକ ସାଗର ମେଡିକାଲ କଲେଜରେ ଶୁଭମ କାମ କରୁଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟୁଇଟ କରିଥିଲେ। ଏହି ଟୁଇଟ ପରେ ତାଙ୍କୁ ଚେନ୍ନାଇ ନେଇ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ଶିବରାଜ ସିଂହ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦକ୍ଷିଣ ଭାରତରେ ଆସିଥିବା ବାତ୍ୟାଯୋଗୁ ବିମାନ ସେବା ବନ୍ଦ ଥିଲା। ଏଥିପାଇଁ ତାଙ୍କୁ ସେଠାକୁ ନିଆଯାଇ ପାରି ନ ଥିଲା। ତେବେ ଶୁଭମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ସମାଜ ସେବାର ଅଦ୍ଭୁତ ଏବଂ ଅନୁପମ ଉଦାହରଣ ସୃଷ୍ଟି କରି ଶୁଭମ ଆଜି ଜୀବନ ଯୁଦ୍ଧରେ ହାରିଗଲେ। ରାଜ୍ୟ ତାଙ୍କ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରୁଛି ବୋଲି ଶିବରାଜ କହିଛନ୍ତି।

Share