Categories: ଖେଳ

ଦମ୍‌ ଦେଖାଇଲେ ଗିଲ୍‌, ଶତକ ମାରି ବଢ଼ାଇଲେ କେ ଏଲ୍‌ ରାହୁଲଙ୍କ ଚିନ୍ତା…

ନୂଆଦିଲ୍ଲୀ,୧୧।୩: ଅହମ୍ମଦାବାଦରେ ଜାରି ରହିଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂର ନିଦର୍ଶନ ଦେଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ଲାଗି ଓହ୍ଲାଇଥିବା ଗିଲ୍‌ ଶତକ ମାରି କେ ଏଲ୍‌ ରାହୁଲଙ୍କ ଅଡ଼ୁଆ ବଢ଼ାଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବା ଲାଗି ଦଳକୁ ଏହି ଟେଷ୍ଟ ଜିତିବାକୁ ହେବ। ଏମିତିରେ ଅଷ୍ଟ୍ରେଲିଆର ବିଶାଳ ସ୍କୋର ଜବାବରେ ଭାରତର ଲଢ଼ୁଆ ବ୍ୟାଟିଂ ଦେଖିବାକୁ ମିଳିଛି। ଭାରତ ପକ୍ଷରୁ ଶୁଭମନ ୧୯୪ ବଲ୍‌ରେ ୧୦ ଚୌକା ଏବଂ ୧ ଛକା ସହ ନିଜର ଶତକ ପୂରଣ କରିଥିଲେ। ଫଳରେ ଦଳ ମଜଭୂତ ସ୍ଥିତିକୁ ଆସିଥିଲା।

୨୩ ବର୍ଷୀୟ ଶୁଭମନ ଟେଷ୍ଟରେ ଦ୍ୱିତୀୟ ଶତକ ମାରିବା ପରେ କେ ଏଲ୍‌ଙ୍କ ଚିନ୍ତା ବଢ଼ିଥିବା କୁହାଯାଉଛି। ପ୍ରଥମେ ଦିନିକିଆ, ଟି-୨୦ରେ ଶୁଭମନଙ୍କୁ ଓପନିଂକୁ ଅଣାଯାଇ କେଏଲ୍‌ଙ୍କୁ ମଧ୍ୟକ୍ରମକୁ ଅଣାଯାଇଥିଲା। ଏବେ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇ ଶୁଭମନଙ୍କୁ ଏକାଦଶରେ ସାମିଲ କରାଯାଇଛି, ଯାହାର ପରିଣାମ ଅହମ୍ମଦାବାଦ ଟେଷ୍ଟରେ ଦେଖିବାକୁ ମିଳିଛି।

ଗୋଟିଏ ପଟେ ଶୁଭମନ ଦୁଇ ବର୍ଷ ଧରି ଲଗାତର ଶତକ ମାରୁଥିବା ବେଳେ ଅପରପକ୍ଷେ କେଏଲ୍‌ ଫ୍ଲପ ହେଉଛନ୍ତି। ଟି୨୦, ଦିନିକିଆ ପରେ ଏବେ ଟେଷ୍ଟରେ ମଧ୍ୟ ତାଙ୍କ ଉପରେ ଖଣ୍ଡା ଝୁଲୁଛି। ପ୍ରଥମେ କେ ଏଲ୍‌ଙ୍କ ହାତରୁ ଉପଅଧିନାୟକ ପଦ ଛଡ଼ାଇ ନିଆଯାଇଥିଲା। ଏବେ ସେ ଦଳରୁ ବାଦ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Share