Categories: ଖେଳ

ହସ୍ପିଟାଲଲେ ଗିଲ୍‌: ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ସମ୍ଭାବନା କମ

ନୂଆଦିଲ୍ଲୀ,୧୦।୧୦: ଭାରତର ଓପନର୍‌ ଶୁବମନ ଗିଲଙ୍କ ନୂତନ ସ୍ବାସ୍ଥ୍ୟ ଅପଡେଟ ଟିମ ଇଣ୍ଡିଆ ଏବଂ ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛି। ଡେଙ୍ଗୁରେ ପୀଡିତ ଗିଲଙ୍କୁ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିବାରୁ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ଶୁବମାନ ଗିଲଙ୍କୁ ବାଦ ଦିଆଯାଇଛି। ବର୍ତ୍ତମାନ ଶନିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଗିଲ ଖେଳିବାର କୌଣସି ସମ୍ଭାବନା ନ ଥିବା ଜଣାପଡିଛି। ଗିଲଙ୍କ ଅନୁପସ୍ଥିତିରେ ଇଶାନ କିଶନ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍‌ କରୁଥିବାର ନଜର ଆସିବେ।
ବିସିସିଆଇ ଦ୍ୱାରା ଶୁବମାନ ଗିଲଙ୍କ ସ୍ବାସ୍ଥ୍ୟ ଅପଡେଟ୍‌ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ, ଗିଲ ଦଳ ସହ ଦିଲ୍ଲୀ ଯାତ୍ରା କରିନାହାଁନ୍ତି ଏବଂ ସେ ଚେନ୍ନାଇରେ ରହି ତାଙ୍କର ଚିକିତ୍ସା ପାଇବେ। ସର୍ବଶେଷ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଗିଲଙ୍କ ପ୍ଲେଟ୍‌ଲେଟ୍‌ କାଉଣ୍ଟ ହ୍ରାସ ପାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଗତ ସପ୍ତାହରେ ଗିଲଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରୁ ଗିଲ ବାଦ୍‌ ପଡିଥିଲେ। ଶନିବାର ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଗିଲ ଫିଟ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏଥିପାଇଁ କୌଣସି ସମ୍ଭାବନା ଥିବା ପରି ମନେ ହେଉନାହିଁ। ଡେଙ୍ଗୁ ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଅତିକମରେ ଦୁଇ ସପ୍ତାହ ସମୟ ଲାଗିଥାଏ। ଏଭଳି ପରିସ୍ଥିତିରେ ଗିଲ କେବଳ ଆସନ୍ତା ସପ୍ତାହ ଆରମ୍ଭରେ ଅଭ୍ୟାସକୁ ଫେରିପାରିବେ।

Share