Categories: ଖେଳ

ଇତିହାସ ରଚିଲେ ଶୁବମନ ଗିଲ

ହାଇଦ୍ରାବାଦ୍‌,୧୮।୧: ହାଇଦ୍ରାବାଦ୍‌ରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁବମନ ଗିଲ ଦ୍ୱିଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଗିଲ ୧୪୬ ବଲରେ ଦ୍ରୁତ ଦ୍ୱିଶତକ ହାସଲ କରିଥିଲେ। ସେ ୨୦୮ ରନର ପାଳି ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୯ ଚୌକା ଓ ୯ ଛକା ମାରିଥିଲେ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦ୍ୱିଶତକ ହାସଲ କରି ଗିଲ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଦ୍ୱିଶତକ ହାସଲ କରିବାରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୩ ବର୍ଷ ୧୩୨ ଦିନରେ ଶୁବମନ ଏହି କୀର୍ତ୍ତିମାନ କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଇଶାନ କିଶନଙ୍କ ନାମରେ ଥିଲା, ସେ ୨୪ ବର୍ଷ ୧୪୫ ଦିନ ବୟସରେ ବାଂଲାଦେଶ ବିପକ୍ଷ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ଏଥି ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ସେ ୨୬ ବର୍ଷ ୧୮୬ ଦିନ ବୟସରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ।
ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି ଗିଲ। ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗିଲ ସବୁଠୁ ବଡ଼ ଇନିଂସ ଖେଳିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର (୧୮୬) ଙ୍କ ନାମରେ ଥିଲା। ସଚିନ ଏହି ରେକର୍ଡକୁ ୧୯୯୯ରେ ହାଇଦ୍ରାବାଦରେ କରିଥିଲେ। ବର୍ତ୍ତମାନ ଗିଲ ୨୦୮ ରନର ଇନିଂସ ଖେଳି ସଚିନଙ୍କ ଏହି ବଡ ରେକର୍ଡ ଭାଙ୍ଗିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁବମାନ ଗିଲ ମଧ୍ୟ ତାଙ୍କ କ୍ୟାରିୟରର ୧୦୦୦ ଦିନିକିଆ ରନ ପୂରଣ କରିଥିଲେ। ସେ ତାଙ୍କର ୧୯ତମ ଇନିଂସରେ ଏହି ବିଶେଷ ସ୍ଥାନ ହାସଲ କରିଥିଲେ। ଦିନିକିଆରେ ଦ୍ରୁତତମ ୧୦୦୦ ରନ ପୂରଣ କରିବାରେ ଇମାମୁଲ ହକଙ୍କ ସହ ଶୁବମାନ ଦ୍ୱିତୀୟ ଖେଳାଳି ହୋଇଥିଲେ। ଏଥି ସହିତ ସେ ଭାରତର ପ୍ରଥମ ଖେଳାଳି ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ଏବଂ ଶିଖର ଧାୱନ ୨୪ ଇନିଂସରେ ୧୦୦୦ ଦିନିକିଆ ରନ ପୂରଣ କରିଥିଲେ।

Share