Categories: ଖେଳ

ଶୁବମନ୍‌ ଗିଲ୍‌ଙ୍କ ଦ୍ରୁତ ଶତକ

ଅହମଦାବାଦ, ୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କ୍ୱାଲିଫାୟର-୨ରେ ଦ୍ରୁତ ଶତକ ହାସଲ କରିଛନ୍ତି ଗୁଜରାଟ ଟାଇଟନ୍ସର ଶୁବମନ ଗିଲ୍‌। ଫଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଛି। ଏହି ମ୍ୟାଚର ବିଜେତା ଆସନ୍ତା ରବିବାର ହେବାକୁଥିବା ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ।
୪୯ ବଲ୍‌ରେ ଶତକ
ବର୍ଷା ଯୋଗୁ ମ୍ୟାଚ ଅଧଘଣ୍ଟା ବିଳମ୍ବ ହୋଇଥିଲା। ଟସ୍‌ ୭ଟା ୪୫ରେ ପଡ଼ିଥିଲା ଏବଂ ମ୍ୟାଚ ୮ଟାରେ ଆରମ୍ଭ ହୋଇଥିଲା। ଟସ୍‌ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା। ଗୁଜରାଟର ଆରମ୍ଭ ସେତେ ଭଲ ହୋଇ ନ ଥିଲା। ଓପନର ରିଦ୍ଧିମାନ ଶାହା ୧୬ ବଲ୍‌ରୁ ମାତ୍ର ୧୮ ରନକରି ଆଉଟ ହୋଇଥିଲେ। ମାତ୍ର ଆକ୍ରମଣର ନେତୃତ୍ୱ ନେଇ ଶୁବମନ ଗିଲ୍‌ ଦଳକୁ ଏକ ବଡ଼ ସ୍କୋରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ସେ ମୁମ୍ବାଇ ବୋଲରଙ୍କୁ ଧୁଲେଇ କରି ଖେଳିବା ସହ ଚଳିତ ସିଜନରେ ପ୍ରଥମ ଖେଳାଳିଭାବେ ତୃତୀୟ ଶତକ ହାସଲ କରିଥିଲେ। ମାତ୍ର ୪୯ ବଲ୍‌ରୁ ଶତକ ପୂରଣ କରିଥିଲେ ଗିଲ୍‌। ଫଳରେ ଆଇପିଏଲ୍‌ ପ୍ଲେ-ଅଫ୍‌ରେ ଯୁଗ୍ମ ତୃତୀୟ ଖେଳାଳିଭାବେ ସେ ଦ୍ରୁତ ଶତକ ହାସଲ କରିଥିଲେ। ପୂର୍ବରୁ ରିଦ୍ଧିମାନ ଶାହା ୨୦୧୪ ଫାଇନାଲ ଏବଂ ରଜତ ପଟିଦାର ୨୦୨୨ ଏଲିମିନେଟରରେ ୪୯ ବଲ୍‌ରୁ ଶତକ ପୂରଣ କରିଥିଲେ। ଗୋଟିଏ ସିଜନରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ କୋହଲି ଓ ଜୋସ୍‌ ବଟଲରଙ୍କଠାରୁ ଗୋଟିଏ ପାଦ ପଛରେ ରହିଛନ୍ତି ଗିଲ୍‌। ୨୦୧୬ରେ କୋହଲି ଏବଂ ୨୦୨୨ରେ ବଟଲର ୪ଟି ଲେଖାଏ ଶତକ ହାସଲ କରିଥିଲେ।
ଶତକୀୟ ଭାଗୀଦାରି
ଶୁବମନ ଗିଲ୍‌ କେବଳ ଶତକ ହାସଲ କରି ନ ଥିଲେ ଦ୍ୱିତୀୟ ଉଇକେଟରେ ସାଇ ସୁଦର୍ଶନଙ୍କ ସହ ୬୪ ବଲ୍‌ରୁ ୧୩୮ ରନର ଭାଗୀଦାରି ଗଢ଼ି ଦଳର ଇନିଂସ ମଧ୍ୟ ସମ୍ଭାଳି ନେଇଥିଲେ। ୬୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଗିଲ୍‌ ୭ ଚୌକା ଓ ୧୦ ଛକା ସହାୟତାରେ ୧୨୯ ରନ ସ୍କୋର କରି ଆଉଟ ହୋଇଥିଲେ। ସାଇ ସୁଦର୍ଶନ ୩୧ ବଲ୍‌ରୁ ୪୩ (୫ ଚୌକା, ୧ ଛକା) ରନ କରିଥିବାବେଳେ ଗୁଜରାଟ ଟାଇଟନ୍ସ ୧୯ ତମ ଓଭର ଶେଷରେ ତାଙ୍କୁ ରିଟାୟର୍ଡ ଆଉଟ ଘୋଷଣା କରିଥିଲା। ତାଙ୍କ ସ୍ଥାନରେ ଶେଷ ଓଭରରେ ରଶିଦ ଖାଁ କ୍ରିଜକୁ ଆସିଥିଲେ। କ୍ରିସ୍‌ ଜୋର୍ଡାନଙ୍କ ଓଭରରେ ଚୌକା ସହ ରଶିଦ ନିଜ ଇନିଂସ ଆରମ୍ଭ କରିଥିଲେ। ତେବେ ଚମତ୍କାର ଫିନିଶ୍‌ କରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ସେ ୫ମ ବଲ୍‌କୁ ଚୌକା ଓ ୬ଷ୍ଠ ତଥା ଅନ୍ତିମ ବଲ୍‌କୁ ଛକା ମାରିବାରୁ ଗୁଜରାଟ ସ୍କୋର ୨୩୩ରେ ପହଞ୍ଚତ୍ ଯାଇଥିଲା। ମୁମ୍ବାଇର ସମସ୍ତ ବୋଲର ମହଙ୍ଗା ରହିଥିବାବେଳେ ଆକାଶ ମାଧଓ୍ବାଲ ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୩୩/୩ (ଶୁବମନ ଗିଲ୍‌-୧୨୯, ସାଇ ସୁଦର୍ଶନ-୪୩, ହାର୍ଦ୍ଦିକ ପାଣ୍ଡ୍ୟା-୨୮*, ଆକାଶ ମାଧଓ୍ବାଲ-୧/୫୨, ପୀୟୂଷ ଚାଓ୍ବଲା-୧/୪୫)।

Share